ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଲା ଭାରତ, ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨%

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ଆଜି ପ୍ରକାଶ ପାଇଛି। ୨୦୨୨-୨୩ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ୨୦୨୧-୨୨ରେ ଏହି ଆକଳନ ୯.୧ ପ୍ରତିଶତ ରହିଥିଲା ।  କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଆଜି ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରିଛି ।

ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ଏହା ପୂର୍ବରୁ ବିଶ୍ବର ପ୍ରମୁଖ ରେଟିଂ ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ ଯେ ୨୦୨୨-୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ତଳକୁ ଖସିବ । ଏପରିକି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବି ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ବୋଲି କହିଥିଲା । କିନ୍ତୁ ୭.୨ ପ୍ରତିଶତ ଅଭିବୃଦ୍ଧି ସହ ଭାରତ ଏସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଛି ।

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି ଯେ ୨୦୨୨-୨୩ ର ଚତୁର୍ଥ ତ୍ରୟମାସରେ ସ୍ଥିର (୨୦୧୧-୧୨) ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ ୪୩.୬୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା କି ୨୦୨୧-୨୨ ର ଚତୁର୍ଥ ତ୍ରୟମାସରେ ୪୧.୧୨ ଲକ୍ଷ କୋଟି ଟଙ୍କା ଥିଲା, ଯାହା କି ୬.୧ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି । ସୂଚନାଯୋଗ୍ୟ, କ୍ରମାଗତ ଦୁଇ ତ୍ରୈମାସିକ ହ୍ରାସ ପରେ ଏଥର ତ୍ରୈମାସିକ (ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକ) ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ୨୦୨୨-୨୩ର ଚତୁର୍ଥ ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିଛି। ଏହାକୁ ମିଶାଇ ସମଗ୍ର ଆର୍ଥିକ ବର୍ଷରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ୭.୨ ପ୍ରତିଶତରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର