ଲକଡାଉନ ପ୍ରଭାବ : ୪ର୍ଥ ତିନିମାସରେ ଜିଡିପି ଅଭିବୃଦ୍ଧି ୩.୧%କୁ ହ୍ରାସ, ଏପ୍ରିଲରେ ଶିଳ୍ପ ଉତ୍ପାଦନ ଗୁରୁତରଭାବେ  ପ୍ରଭାବିତ

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରଭାବିତ ହୋଇଛି । ଲୋକମାନଙ୍କ ଜୀବନଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି ।

ଆଜି ସରକାରଙ୍କ ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଜାନୁଆରି-ମାର୍ଚ୍ଚ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି  ହାର ୩.୧ ପ୍ରତିଶତକୁ ହ୍ରାସ ପାଇଛି । ଗତ ବର୍ଷ ୪ର୍ଥ ତିନିମାସରେ ଏହା ୫.୮ ପ୍ରତିଶତ ଥିଲା । ସେହିପରି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଏପ୍ରିଲ ମାସରେ ଦେଶର ୮ଟି ପ୍ରମୁଖ କ୍ଷେତ୍ରର  ଅଭିବୃଦ୍ଧି ଅତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଏପ୍ରିଲରେ ଦେଶର ୮ଟି ପ୍ରମୁଖ ଶିଳ୍ପ କ୍ଷେତ୍ର ଯଥା ଇସ୍ପାତ, କୋଇଲା, ବିଜୁଳି, ସାର, ଅଶୋଧିତ ତେଲ, ରିଫାଇନାରୀ, ସିମେଣ୍ଟ  ଓ ପ୍ରାକ୍‌ତିକ ବାଷ୍ପର  ଅଭିବୃଦ୍ଧି ପ୍ରାୟ ୩୮.୧ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ମାସରେ ଏହା ୯ ପ୍ରତିଶତ କମିଥିଲା । ମାର୍ଚ୍ଚମାସ ଶେଷ ବେଳକୁ ଦେଶରେ ଲକଡାଉନ ଘୋଷଣା ହୋଇଥିଲା । ଏପ୍ରିଲ ମାସ ସାରା ଲକଡାଉନ ଥିବାରୁ ଦେଶର ଅଧିକାଂଶ ଶିଳ୍ପସଂସ୍ଥା ବନ୍ଦ ଥିଲା । ଏଣୁ କେତେକ ଜରୁରୀ କ୍ଷେତ୍ରକୁ ଛାଡ଼ିଦେଲେ ସାମଗ୍ରିକଭାବେ  ଉତ୍ପାଦନ ହ୍ରାସ ପାଇଛି ।

ଦେଶରେ ଲକଡାଉନ ଜାରି ରହିଥିବାରୁ ମେ ମାସରେ ମଧ୍ୟ ଶିଳ୍ପ ଉତ୍ପାଦନ କମିବା ଆଶଙ୍କା ରହିଛି । ଏଣୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ମଧ୍ୟ ଡିଜିପି ଖସିବା ଏକରକମ ନିଶ୍ଚିତ ।

ସମ୍ବନ୍ଧିତ ଖବର