ପୁଣି ଖସିଲା ଜିଡିପି ଅଭିବୃଦ୍ଧି ହାର; ଡିସେମ୍ବର ତ୍ରୈମ‌ାସିକରେ ୪.୭

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ତୁଳନାତ୍ମକ ଭାବେ  ମନ୍ଥର ଗତିରେ ଅଭିବୃଦ୍ଧି କରିଛି।  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୈମ‌ାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧିହାର ମାତ୍ର ୪.୭ ପ୍ରତିଶତ ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ୫.୧ ପ୍ରତିଶତ ଥିଲା। ଏହା ସ୍ପଷ୍ଟ ସୂଚିତ କରୁଛି ଯେ ଦେଶର ଅର୍ଥନୀତିର ଅଭିବୃଦ୍ଧି ନିମ୍ନଗାମୀ ଧାରାରେ ଗତି କରୁଛି। ପ୍ରାଥମିକ ଭାବେ ଗତ ତ୍ରୈମାସିକରେ ଅଭିବୃଦ୍ଧି ହାର ୪.୫ ବୋଲି ଆକଳନ କରାଯାଇଥିଲା। ମାତ୍ର ପରେ ତାହାକୁ ଭାରତ ସରକାର ପରିବର୍ତ୍ତନ କରି ଅଭିବୃଦ୍ଧି ହାର ୫.୧ ବୋଲି ଘୋଷଣା କରିଥିଲେ।

ଉଲ୍ଲେଖ୍ୟଯୋଗ୍ୟ, ଦେଶରେ ମାନ୍ଦା ହୋଇ ପଡ଼ି ରହିଥିବା ଅର୍ଥନୀତିକୁ ବଢ଼ାଇବା ପାଇଁ ସରକାର ଗତବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହା ସହ ଏହି ନିଷ୍ପତ୍ତିର ପ୍ରଭାବ ଧିରେ ଧିରେ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଯଦି ଗତ ୬ଟି ତ୍ରୈମ‌ାସିକ ଆକଳନ ଉପ‌ରେ ନଜର ପକାଇବା ତେବେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମ‌ାସିକରେ ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୈମ‌ାସିକରେ ଏହା ୬.୨ପ୍ରତିଶତରେ ପହଞ୍ଚିଥିଲା। ସେହିଭଳି ଭାବରେ ତୃତୀୟ ତ୍ରୈମ‌ାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬ପ୍ରତିଶତ ଏବଂ ଚତୁର୍ଥରେ ଏହା ୫.୮୩ ପ୍ରତିଶତରେ ପହଞ୍ଚିଥିଲା।

୨୦୧୯-୨୦ ଆର୍ଥିକ ବର୍ଷ ଉପରେ ନଜର ପକାଇଲେ ପ୍ରଥମ ତ୍ରୈମ‌ାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬ ପ୍ରତିଶତ ରହିଥିବା ବେଳେ ଦ୍ବିତୀୟ ତ୍ରୈମ‌ାସିକରେ ଏହା ୫.୧ପ୍ରତିଶତରେ ପହଞ୍ଚିଥିଲା।  ବର୍ତ୍ତମାନ ତୃତୀୟ ତ୍ରୈମ‌ାସିକରେ ଜିଡିପି ଅଭିବୃଦ୍ଧି ହାରରେ ପୁଣି ତଳକୁ ଖସି  ୪.୭ ପ୍ରତିଶତରେ ପହଞ୍ଚିଛି।

ସମ୍ବନ୍ଧିତ ଖବର