ଭାରତ ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ, ୨୦୨୨-୨୩ରେ ଅଭିବୃଦ୍ଧି ୭.୨%

ନୂଆଦିଲ୍ଲୀ : ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ରହିଛି ଯାହା ସାରା ବିଶ୍ବରେ ସର୍ବାଧିକ। ଅନ୍ୟ କୌଣସି ଦେଶର ଅଭିବୃଦ୍ଧି ଭାରତ ପାଖାପାଖି ନାହିଁ। ଦ୍ବିତୀୟ ସ୍ଥାନରେ ଥିବା ଇଣ୍ଡୋନେସିଆର ଅଭିବୃଦ୍ଧି ୫.୩ ପ୍ରତିଶତ ରହିଛି। ୨୦୨୧-୨୨ରେ ଭାରତର ଅଭିବୃଦ୍ଧି କିନ୍ତୁ ୯.୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ବିଶ୍ବର ବିଭିନ୍ନ ସଂସ୍ଥା ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ୭% ଭିତରେ ରହିବ ବୋଲି ଆକଳନ କରିଥିଲେ। କିନ୍ତୁ ବାସ୍ତବ ଅଭିବୃଦ୍ଧି ତା’ଠାରୁ ଅଧିକ ରହିଛି। ଭାରତ ୭% ସ୍ତର ଅତିକ୍ରମ କରିବାରେ ସଫଳ ହୋଇଛି ଯାହା ଅର୍ଥନୀତିର ଦୃଢ଼ତାକୁ ପ୍ରମାଣିତ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଅଭିବୃଦ୍ଧି ୧୩.୫%, ଦ୍ବିତୀୟ ତ୍ରୈମାସିକରେ ୬.୩ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୪.୫ ପ୍ରତିଶତ ଓ ଚତୁର୍ଥ ତ୍ରୈମାସିକରେ ୬.୧ ପ୍ରତିଶତ ରହିଥିଲା। ଏନ୍‌ଏସ୍‌ଓ ତଥ୍ୟ ଅନୁସାରେ ୨୦୨୨-୨୩ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧୬୦.୦୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୧-୨୨ରେ ତାହା ୧୪୯.୨୬ ଲକ୍ଷ କୋଟି ଟଙ୍କା ଥିଲା।

ମାନୁଫାକ୍‌ଚରିଂ କ୍ଷେତ୍ରରେ ମୋଟ ମୂଲ୍ୟ ଯୋଗ (ଜିଭିଏ) ଅଭିବୃଦ୍ଧି ୪.୫ ପ୍ରତିଶତ ରହିଥିବା ବେଳେ ଖଣିରେ ୪.୩ ପ୍ରତିଶତ, ନିର୍ମାଣରେ ୧୦.୪ ପ୍ରତିଶତ ଓ କୃଷି କ୍ଷେତ୍ରରେ ୫.୫ ପ୍ରତିଶତ ରହିଛି। ବିଦ୍ୟୁତ, ଗ୍ୟାସ୍, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବା ଅଭିବୃଦ୍ଧି ୬.୯ ପ୍ରତିଶତ ରହିଥିବା ବେଳେ ସେବା କ୍ଷେତ୍ରର ଅଭିବୃଦ୍ଧି ୯.୧ ପ୍ରତିଶତ ରହିଛି। ଆର୍ଥିକ ସେବା, ରିଅଲ ଇଷ୍ଟେଟ୍‌ ଓ ସେପାଦାର ସେବା ଅଭିବୃଦ୍ଧି ୭.୧ ପ୍ରତିଶତ ହୋଇଛି। ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତ ରହିଛି।

ଅର୍ଥନୀତିର ସ୍ଥିରତାକୁ ଦର୍ଶାଉଛି: ମୋଦୀ
ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୨-୨୩ର ଅଭିବୃଦ୍ଧି ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବହୁ ପ୍ରକାର ଆହ୍ବାନ ସତ୍ତ୍ବେ ଏହା ଭାରତୀୟ ଅର୍ଥନୀତିର ସ୍ଥିରତାକୁ ଦର୍ଶାଉଛି। ଏହି ଦୃଢ଼ ପ୍ରଦର୍ଶନ ଓ ମୋଟ ଉପରେ ରହିଥିବା ଆଶା ଆମ ଅର୍ଥନୀତି ସଠିକ୍ ପଥରେ ଥିବା ଏବଂ ଆମ ଲୋକମାନଙ୍କ ଦୃଢ଼ତାର ପ୍ରତିଫଳନ ବୋଲି ସେ କହିଛନ୍ତି।

ଖୁସି ହେବାର କିଛି କାରଣ ନାହିଁ: କଂଗ୍ରେସ
ନୂଆଦିଲ୍ଲୀ : ଅଭିବୃଦ୍ଧି ତଥ୍ୟକୁ ନେଇ ଖୁସି ହେବାର କୌଣସି କାରଣ ନାହିଁ। ଅର୍ଥନୀତି ‘ତ୍ରୈମାସିକରୁ ତ୍ରୈମାସିକ ପର୍ଯ୍ୟନ୍ତ’ର ସିନେମା ଭଳି ନୁହେଁ। ଅର୍ଥନୀତିରେ ଦୁଇଟି ବଡ଼ ସମସ୍ୟା ରହିଛି। ତାହା ହେଉଛି ନିବେଶ ଓ ଉପଯୋଗିତା। ଭାରତ ଯଥେଷ୍ଟ ପରିମାଣର ଉତ୍ପାଦନ କରୁନି କି ଯଥେଷ୍ଟ ପରିମାଣର ବ୍ୟବହାର ବି କରୁନି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର