ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ନିକଟରେ ଘଟିଥିବା ସୁଧାରକୁ ସ୍ବୀକାର କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ଆଗାମୀ ଦିନରେ ଦେଶର ଅଭିବୃଦ୍ଧି ଏହାର ପ୍ରକୃତ ସମ୍ଭାବନାଠାରୁ କମ୍ ରହିବ। ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ହାର ୬ ପ୍ରତିଶତରୁ ସାମାନ୍ୟ ଅଧିକ ରହିବା ଆକଳନ କରାଯାଇଛି। ବିଶ୍ବର ସବୁଠୁ ଜନବହୁଳ ଦେଶରେ ଆବଶ୍ୟକ ନିଯୁକ୍ତି ସୃଷ୍ଟି ଲାଗି ତାହା ଯଥେଷ୍ଟ ନୁହେଁ ବୋଲି ରାଜନ କହିଛନ୍ତି।
ନିଯୁକ୍ତି ସୃଷ୍ଟି କରିବାକୁ ୬% ଅଭିବୃଦ୍ଧି ଯଥେଷ୍ଟ ନୁହେଁ
ସେ କହିଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଭାରତ ହାରାହାରି ଭାବେ ବାର୍ଷିକ ୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଯାହା ଅତ୍ୟନ୍ତ ଉତ୍ସାହଜନକ। କିନ୍ତୁ ଚୀନ୍ ସହ ତୁଳନା ବେଳେ ଅଲଗା ଚିତ୍ର ସାମ୍ନାକୁ ଆସୁଛି। ପ୍ରତିବର୍ଷ ଶ୍ରମଶକ୍ତିରେ ଯୋଗଦେଉଥିବା ଯୁବକଯୁବତୀମାନଙ୍କୁ ଚାକିରି ଦେବା ଲାଗି ଭାରତକୁ ଆଉ ୨ ପ୍ରତିଶତ ଅଧିକ ଅଭିବୃଦ୍ଧି ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପାଞ୍ଚ ବର୍ଷ ବ୍ୟବଧାନ ପରେ ସୁଧ ହାର ହ୍ରାସ କରାଯିବା ସମ୍ପର୍କରେ ରାଜନ କହିଛନ୍ତି ଯେ ଅର୍ଥନୀତିକୁ କ୍ଷୀପ୍ର ଗତିରେ ଦୌଡ଼ାଇବା ଲାଗି ସେହି ପଦକ୍ଷେପ ଯଥେଷ୍ଟ ନୁହେଁ। ଭାରତରେ ରହିଥିବା ବଡ଼ ସମସ୍ୟାଟି ହେଉଛି, ବ୍ୟବସାୟ ଜଗତ ଯେଉଁ ପ୍ରତିଭା ଚାହୁଛନ୍ତି ତାହା ଶ୍ରମଶକ୍ତି ପାଖରେ ନାହିଁ। ତେଣୁ ଲୋକମାନଙ୍କ ଦକ୍ଷତାରେ ଉନ୍ନତି ଆଣି ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ଦେଲେ ଦେଶର ଅଭିବୃଦ୍ଧି ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।