ମାନ୍ଦାବସ୍ଥ‌ା କବଳରେ ଭାରତ, ଅଭିବୃଦ୍ଧି ପୁଣି ୮.୬% କମିବ

ଏପ୍ରିଲ୍‌-ଜୁନ୍‌ ତ୍ରୟମାସରେ ୨୩.୯% ଖସିଥିଲା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୮.୬ ପ୍ରତିଶତ ହ୍ରାସ ପାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଭାରତ ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଜାରି କରାଯାଇଥିବା ‘ନାଓକାଷ୍ଟ’ରେ କୁହାଯାଇଛି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌)ରେ ଦେଶର ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଥିଲା। କ୍ରମାଗତ ଦ୍ବିତୀୟ ତ୍ରୟମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ମଧ୍ୟ ଜିଡିପି ଅଭିବୃଦ୍ଧି କମ୍ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅନୁଶୀଳନ କରିବା ପରେ ଏଭଳି ଆକଳନ କରାଯାଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ଦାୟିତ୍ବରେ ଥିବା ଡେପୁଟି ଗଭର୍ଣ୍ଣର ମାଇକେଲ୍ ପାତ୍ରଙ୍କ ଭଳି ଅର୍ଥନୀତିଜ୍ଞ ଏହି ଆକଳନ କରିଛନ୍ତି। ଇତିହାସରେ ପ୍ରଥମ ଥର ଲାଗି ଭାରତ ବୈଷୟିକ ମାନ୍ଦାବସ୍ଥାରେ ପ୍ରବେଶ କରିଛି ବୋଲି ସେମାନେ ଲେଖିଛନ୍ତି। ଭାରତ ସରକାର ଚଳିତ ମାସ ୨୭ରେ ଦ୍ବିତୀୟ ତ୍ରୟମାସ ଜିଡିପି ତଥ୍ୟ ଜାରି କରିବେ। ଏହା ପରେ ଭାରତର ଆର୍ଥିକ ସ୍ଥିତି କେଉଁ ସ୍ତରରେ ରହିଛି ତାହା ସ୍ପଷ୍ଟ ହେବ।

ନାଓକାଷ୍ଟ୍‌ର ଲେଖକମାନେ ଗାଡ଼ି ବିକ୍ରି ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌ ପର୍ଯ୍ୟନ୍ତ ଅନେକ ପ୍ରକାର ତଥ୍ୟକୁ ବିଚାରକୁ ନେଇଛନ୍ତି। ସେହି ସବୁ ତଥ୍ୟକୁ ଅନୁଶୀଳନ କରିବା ପରେ ସେମାନେ ଜଣାଇଛନ୍ତି ଯେ ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର) ଅବଧିରେ ଅର୍ଥନୀତିରେ ସୁଧାର ହେବ। ମାତ୍ର ଦରଦାମ୍ ନିୟନ୍ତ୍ରଣରେ ନରହିଲେ ଅର୍ଥନୀତି ପ୍ରତି ବଡ଼ ବିପଦ ଦେଖାଦେଇପାରେ ବୋଲି ସେମାନେ ସତର୍କ କରାଇଛନ୍ତି। ସମଗ୍ର ବିଶ୍ବରେ ଯଦି କରୋନା ସଂକମ୍ରଣ ଦ୍ବିତୀୟ ଥର ପାଇଁ ବ୍ୟାପକ ହେବ ତେବେ ତାହା ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଲେଖକମାନେ ଜଣାଇଛନ୍ତି। ଲୋକମାନଙ୍କ ଘର ଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ ସ‌ମସ୍ତେ ଚାପରେ ରହିଛନ୍ତି। ଏଥି ଯୋଗୁଁ ସୃଷ୍ଟି ହେବାକୁ ଥିବା ବିପଦ ବିଳମ୍ବ ହୋଇଛି ମାତ୍ର ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଏହାର ପ୍ରଭାବ ଆର୍ଥିକ କ୍ଷେତ୍ର ଉପରେ ପଡ଼ିବାର ଆଶଙ୍କା ରହିଛି। ଅନେକ ଲୋକ ଚାକିରି ହରାଇବା ପରେ ନିଜର ଖର୍ଚ୍ଚ କମାଇଛନ୍ତି ଓ ସଞ୍ଚୟ ବଢ଼ାଇଛନ୍ତି। ସେଥିପାଇଁ ପାରିବାରିକ ଆର୍ଥିକ ସଞ୍ଚୟ ଚଳିତ ବର୍ଷର ଜୁନ୍ ଶେଷ ସୁଦ୍ଧା ଜିଡିପିର ୧୨.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ସଞ୍ଚୟ ହାର ୭.୯ ପ୍ରତିଶତ ସ୍ତରରେ ଥିଲା। ଲୋକମାନେ ନିଜର ଅଧିକାଂଶ ସଞ୍ଚୟ ରାଶିକୁ ବ୍ୟାଙ୍କ ଜମା ଆକାରରେ ରଖିଛନ୍ତି। କରୋନା ମହାମାରୀ ଦୂର ନହେବା ପର୍ଯ୍ୟନ୍ତ ଲୋକମାନେ ସଞ୍ଚୟ ଜାରି ରଖିବେ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର