ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ଏବଂ ୨୦୨୩-୨୪ରେ ତାହା ୬.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନ କରିଛି। କିନ୍ତୁ ଏହା ମଧ୍ୟ ଜଣାଇଛି ଯେ ଆସନ୍ତା ଦୁଇ ବର୍ଷରେ ଭାରତର ମୁଦ୍ରାସ୍ଫୀତି ହାରରେ ପର୍ଯ୍ୟାୟକ୍ରମେ ସୁଧାର ହେବ। ଉଚ୍ଚ ତୈଳ ଦର, ବିଶ୍ବର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ଘଟଣା ଏବଂ କଷ୍ଟକର ଆର୍ଥିକ ସ୍ଥିତି ପାଇଁ ଭାରତର ଅଭିବୃଦ୍ଧି ୨୦୨୩-୨୪ରେ ପ୍ରଭାବିତ ହେବ। କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ତାହା ଭାରତର ବାଣିଜ୍ୟ ଓ ଅଭିବୃଦ୍ଧିକୁ ପ୍ରଭାବିତ କରିବା ଆଶଙ୍କା ରହିଛି।
ବାରମ୍ବାର ସୁଧ ବଢ଼ାଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଆଇଏମ୍ଏଫ୍ ପରାମର୍ଶ ଦେଇଛି। ସୁଧ ବଢ଼ାଇବା ବେଳେ ଭାରତ ଯତ୍ନବାନ ରହିବା ଦରକାର ବୋଲି ଏହା ଜଣାପଡ଼ିଛି। ଆଗାମୀ ଦିନରେ ସ୍ଥିତି ଅସ୍ଥିର ହେବାର ଆଶଙ୍କା ଥିବାରୁ ସେଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ଆଇଏମ୍ଏଫ୍ ପରାମର୍ଶ ଦେଇଛି। ଦେଶରେ ଦରଦାମ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ମେ’ ପରଠାରୁ ସୁଧ ହାରରେ ୨.୨୫ ପ୍ରତିଶତ ବୃଦ୍ଧି କରିସାରିଲାଣି। ଏହାର ପ୍ରଭାବରେ ଗାଡ଼ି, ଘର ଓ ବ୍ୟକ୍ତିଗତ ଋଣ ସୁଧ ବଢ଼ିଛି। ଋଣ ନେଇଥିବା ଗ୍ରାହକଙ୍କ ଉପରେ ଇଏମ୍ଆଇ ବୋଝ ମଧ୍ୟ ବୃଦ୍ଧି ପାଇଛି। କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଆଗାମୀ ଦିନରେ ସୁଧ ବୃଦ୍ଧି ଜାରି ରହିବ। ଆଇଏମ୍ଏଫ୍ ଜଣାଇଛି ଯେ ଲଗାତାର ସୁଧରେ ବୃଦ୍ଧି ହୋଇଥିବାରୁ ଏନ୍ପିଏ ବା ଅନାଦେୟ ଋଣ ବଢ଼ିବାର ଆଶଙ୍କା ରହିଛି। ସେଦିଗରେ ଯତ୍ନବାନ ହେବାକୁ ପଡ଼ିବ। ବ୍ୟାଙ୍କଗୁଡ଼ିକର ହିସାବ ଖାତାରେ ଯେଉଁ ଦୃଢ଼ତା ଫେରିଛି ସେଥିପ୍ରତି ଏନ୍ପିଏ ବଡ଼ ବିପଦ ହୋଇପାରେ ବୋଲି ଆଇଏମ୍ଏଫ୍ ଜଣାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଡିଜିଟାଲ ମୁଦ୍ରା ଇ-ରୁପି ସମ୍ପର୍କରେ ଆଇଏମ୍ଏଫ୍ କହିଛି ଯେ ଘରୋଇ ଡିଜିଟାଲ୍ ମୁଦ୍ରାର ପ୍ରଚଳନ ରହିଥିବାରୁ ଏହାର ଲାଭ ସୀମିତ ରହିବ। ଇ-ରୁପିକୁ ଗ୍ରହଣ କରିବାର ଲାଭ ବିଷୟରେ ଲୋକଙ୍କୁ ଜଣାଇବା କଷ୍ଟକର ହେବ। ତେଣୁ ସୀମାପାର କାରବାରରେ କିଭଳି ଏହାକୁ ବ୍ୟବହାର କରାଯାଇପାରିବ, ସେଦିଗରେ ଭାରତ ଦୃଷ୍ଟି ଦେବା ଦରକାର। ସେଥିପାଇଁ ବଳିଷ୍ଠ ଆନ୍ତର୍ଜାତିକ ସହଯୋଗ ଲୋଡ଼ା। ଏହା ବ୍ୟତୀତ ସାଇବର ନିରାପତ୍ତି ବିପଦ ଆଉ ଏକ ବଡ଼ ଆହ୍ବାନ ଭାବେ ଉଭା ହେବ।