ଭାରତର ଅଭିବୃଦ୍ଧି ୯.୫%କୁ ଖସିବ, ପୂର୍ବାନୁମାନ ବଦଳାଇଲା ଆଇଏମ୍ଏଫ୍‌

ନୂଆଦିଲ୍ଲୀ, ୨୭/୭: କରୋନା ମହାମାରୀର ଦ୍ବିତୀୟ ଲହର ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ପ୍ରଭାବରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୫%କୁ ହ୍ରାସ ପାଇବ। ଏଭଳି ଖରାପ ଖବର ଆଣିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)। ଭାରତ ପାଇଁ ଏହା ନିଜର ପୂର୍ବାନୁମାନକୁ ବଦଳାଇବାକୁ ବାଧ୍ୟ ହୋଇଛି। ଗତ ଏପ୍ରିଲ୍‌ରେ ଏହି ସଂସ୍ଥା ଆକଳନ କରିଥିଲା ଯେ ଭାରତ ୧୨.୫% ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବ। ଭାରତୀୟ ରଜିର୍ଭ ବ୍ୟାଙ୍କ ମଧ୍ୟ କିଛି ଦିନ ତଳେ ପୂର୍ବାନୁମାନ ଲଗାଇଥି‌ଲା ଯେ ଦେଶର ଅଭିବୃଦ୍ଧି ହାର ୯.୫%କୁ ହ୍ରାସ ପାଇବ।

ଆଇଏମ୍ଏଫ୍ ଆକଳନ କରିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ଅଭିବୃଦ୍ଧି ୮.୫% ରହିବ। ଏହା ନିଜ ରିପୋର୍ଟରେ ଜଣାଇଛି ଯେ ଲୋକମାନେ ଯେତେଦିନ ପର୍ଯ୍ୟନ୍ତ ଭୂତାଣୁ ଭୟରେ ରହିବେ ସେତେଦିନ ପର୍ଯ୍ୟନ୍ତ ଦ୍ରୁତ ଗତିରେ ସୁଧାର ହୋଇପାରିବ ନାହିଁ। ଭାରତ ଭଳି ଦେଶ ଯେଉଁଠାରେ ସଂକ୍ରମଣର ନୂଆ ଲହର ଦେଖିବାକୁ ମିଳିଛି ସେଭଳି ଦେଶରେ ସୁଧାର ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୧‌ରେ ବିଶ୍ବ ଅର୍ଥନୀତିରେ ସୁଧାର ଜାରି ରହିବ ବୋଲି ଆଇଏମ୍ଏଫ୍‌ ଜଣାଇଥିବା ବେଳେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଟିକାକରଣର ଗତି ହିଁ ଦେଶଗୁଡ଼ିକ ଭିତରେ ସୁଧାରର ପାର୍ଥକ୍ୟ ନିର୍ଧାରଣ କରିବ। ୨୦୨୧ରେ ବିଶ୍ବ ଅର୍ଥନୀତି ୬% ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମ୍ଏଫ୍‌ କହିଛି। ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ ବିକଶିତ ଦେଶଗୁଡ଼ିକରେ ଦେଖାଦେଇଥିବା ସୁଧାର ବିଚାରକୁ ନେଇ ଏବର୍ଷ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଅଧିକ ରହିବ ବୋଲି ଆକଳନ କରାଯାଇଥିଲା। ମାତ୍ର ବିକାଶଶୀଳ ଦେଶଗୁଡ଼ିକରେ ସଂକ୍ରମଣ ପୁଣି ଦେଖାଦେବାରୁ ପୂର୍ବ ଆକଳନ ବଦଳାଇବାକୁ ପଡ଼ିଛି। ଆଇଏମ୍ଏଫ୍‌ ଆକଳନ କରିଛି ଯେ କୋଭିଡ୍ ମହାମାରୀ ପ୍ରଭାବରେ ବିକଶିତ ଦେଶଗୁଡ଼ିକରେ ମୁଣ୍ଡପିଛା‌ ଆୟରେ ୨.୮ ପ୍ରତିଶତ ହ୍ରାସ ଘଟିଥିବା ବେଳେ ବିକାଶଶୀଳ ଦେଶଗୁଡ଼ିକରେ ମୁଣ୍ଡପିଛା ଆୟରେ ୬.୩ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ହୋଇଛି। ବିକାଶଶୀଳ ଦେଶଗୁଡ଼ିକର ହିସାବ କରିବା ବେଳେ ସେଥିରୁ ଚୀନ୍‌କୁ ବାଦ ଦିଆଯାଇଛି।

ବିକଶିତ ଦେଶଗୁଡ଼ିକର ୪୦ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବିକାଶଶୀଳ ଦେଶଗୁଡ଼ିକରେ ଏହି ହାର ୧୧ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି। ନିମ୍ନ ଆୟ ବର୍ଗରେ ଥିବା ଦେଶଗୁଡ଼ିକର ମାତ୍ର ୧.୨ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ଗୋପୀନାଥ କହିଛନ୍ତି ଯେ ଅର୍ଥନୀତିରେ ସୁଧାର ଆଣିବା ଲାଗି ବିକଶିତ ଦେଶଗୁଡ଼ିକ ଯେଉଁଭଳି ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି, ସେହି ତୁଳନାରେ ବିକାଶଶୀଳ ଦେଶଗୁଡ଼ିକ ପଛୁଆ ରହିଛନ୍ତି। ୨୦୨୧ରେ ବିକଶିତ ଦେଶଗୁଡ଼ିକ ୪ ଲକ୍ଷ ୬୦ କୋଟି ଡଲାରର ପ୍ୟାକେଜ୍ ଘୋଷଣା କରିଛନ୍ତି। ବିକାଶଶୀଳ ଦେଶଗୁଡ଼ିକ ଯେଉଁ ପ୍ୟାକେଜ୍ ଘୋଷଣା କରିଥିଲେ ତାହାର ଅବଧି ୨୦୨୦ରେ ଶେଷ ହୋଇଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର