ନୂଆଦିଲ୍ଲୀ : ଭାରତରେ ସୁନା ରଖିବାର ପରମ୍ପରା ବହୁତ ପୁରୁଣା। ଆମ ସଂସ୍କୃତି ଓ ପରମ୍ପରା ସହ ସୁନା ଯୋଡ଼ି ହୋଇରହିଛି । ଭାରତର ଘରେ ଘରେ ସୁନା ଅଳଙ୍କାର ରହିଥାଏ । ପୁଣି ମନ୍ଦିରଗୁଡ଼ିକରେ ବି ଠାକୁରଙ୍କ ନିଜସ୍ବ ସୁନା ଥାଏ । ତେବେ ଏଗୁଡ଼ିକର ମୋଟ ମୂଲ୍ୟ କେତେ ହେବ ?
ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି, ଯାହା ଅନୁଯାୟୀ ଭାରତର ଘର ଏବଂ ମନ୍ଦିରରେ ପ୍ରାୟ ୨୫୦୦୦ ଟନ୍ ସୁନା ସାମୂହିକ ଭାବରେ ଅଛି, ଯାହାର ବର୍ତ୍ତମାନର ମୂଲ୍ୟ ପାକିସ୍ତାନର ଅର୍ଥନୀତିର ୬ ଗୁଣରୁ ଅଧିକ।
ଦେଶର ଘର ଏବଂ ମନ୍ଦିରରେ ବର୍ତ୍ତମାନ ଯେଉଁ ସୁନା ଅଛି। ଏହାର ମୂଲ୍ୟ ପ୍ରାୟ ୨.୪ ଟ୍ରିଲିୟନ ଆମେରିକୀୟ ଡଲାର ସହିତ ସମାନ ଏବଂ ଏହି ସୁନା ୨୦୨୬ ଆର୍ଥିକ ବର୍ଷରେ ଦେଶର ନାମମାତ୍ର ଜିଡିପିର ପ୍ରାୟ ୫୬ ପ୍ରତିଶତ ଥିବା ଅନୁମାନ କରାଯାଉଛି। ବିଶ୍ୱ ସ୍ୱର୍ଣ୍ଣ ପରିଷଦର ତଥ୍ୟ ଅନୁଯାୟୀ, ଭାରତର ଘରେ ଗଚ୍ଛିତ ଏହି ସୁନା ବିଶ୍ୱ ସ୍ତରରେ ମଧ୍ୟ ଏକ ଅସାଧାରଣ ଆର୍ଥିକ ସମ୍ପତ୍ତି। ଏହାର ମୂଲ୍ୟ ଏତେ ବିଶାଳ ଯେ ଏହା ଅନେକ ଦେଶର ଜିଡିପିକୁ ଅତିକ୍ରମ କରିଯିବ। ପାକିସ୍ତାନର ଡିଜିପିର ଆକାର ପ୍ରାୟ ୪୦୦ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି । କିନ୍ତୁ ଭାରତୀୟ ଘର ଏବଂ ମନ୍ଦିରରେ ଯେତିକି ସୁନା ଅଛି ତାହାର ପରିମାଣର ପାକିସ୍ତାନର ଜିଡିପି ତୁଳନାରେ ପ୍ରାୟ ୬ ଗୁଣ ଅଧିକ ।