ନୂଆଦିଲ୍ଲୀ: ଗତ ଜୁନ୍ ୧୫ରେ ଲଦାଖର ଗଲ୍ୱାନ ଘାଟିରେ ଘଟିଥିବା ସଂଘର୍ଷରେ ଭାରତର ୨୦ ଯବାନ ସହିତ ହେବା ପରେ ଚୀନ୍ ବିରୋଧରେ ଭାରତ ସରକାର ବହୁତ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଚୀନ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଦେଉଛନ୍ତି। ଚୀନ୍କୁ ଦିଆଯାଇଥିବା ଝଟ୍କାର ତାଲିକା ଲମ୍ବା ହେବାରେ ଲାଗିଛି। ତାହାକୁ ନେଇ ଆମର ଏହି ଉପସ୍ଥାପନା:
୭୫୦ କୋଟିର ନିବେଶ ଅଟକିଲା
ପଡ଼ୋଶୀ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ପୁଞ୍ଜିନିବେଶ ନିବେଶ (ଏଫ୍ଡିଆଇ) ନିୟମକୁ ପରିବର୍ତ୍ତନ କରାଯିବା ପରେ ଚୀନ୍ରୁ ଆସିବାକୁ ଥିବା ୭୫୦ କୋଟି ଟଙ୍କାର ନିବେଶ ରାଶି ଅଟକିଯାଇଛି। ଖାଦ୍ୟ ଡେଲିଭରି ସେବା ଦେଉଥିବା ଜୋମାଟୋରେ ଚୀନ୍ର ସଂସ୍ଥା ଏଣ୍ଟ୍ ଫାଇନାନ୍ସିଆଲ୍ ଏହି ନିବେଶ କରିବାର ଥିଲା।
୫୯ ଚୀନ୍ ଆପ୍ ନିଷିଦ୍ଧ
ଭାରତ ସରକାର ଟିକ୍ଟକ୍, ୟୁସି ବ୍ରାଉଜର, କ୍ୟାମ୍ ସ୍କାନର ଭଳି ୫୯ଟି ମୋବାଇଲ୍ ଆପ୍କୁ ନିଷିଦ୍ଧ ଘୋଷଣା କରି ଚୀନ୍କୁ ଶକ୍ତ ଝଟ୍କା ଦେଇଛନ୍ତି। ଏହାକୁ ଚୀନ୍ ବିରୋଧରେ ଡିଜିଟାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ଏହି ନିଷେଧାଦେଶ ଯୋଗୁଁ ଟିକ୍ଟକ୍ର ମାଲିକ ସର୍ବାଧିକ କ୍ଷତି ସହିବେ।
ସଡ଼କ ପ୍ରକଳ୍ପରେ ସାମିଲ ହୋଇପାରିବନି ଚୀନ୍
ଦେଶର କୌଣସି ସଡ଼କ ପ୍ରକଳ୍ପରେ ଚୀନ୍ର ସଂସ୍ଥାକୁ ସାମିଲ ହେବାର ଅନୁମତି ଦିଆଯିବ ନାହିଁ ବୋଲି ନିକଟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଏଭଳିକି ଭାରତୀୟ ସଂସ୍ଥା ସହ ଯୌଥ ଉଦ୍ୟୋଗ ସ୍ଥାପନ କରିଥିବା ଚୀନ୍ କଂପାନିଗୁଡ଼ିକୁ ମଧ୍ୟ ସଡ଼କ ତିଆରି କରିବାର ସୁଯୋଗ ଦିଆଯିବ ନାହିଁ।
ହିରୋ ସାଇକଲ୍ ଦେଲା ୯୦୦ କୋଟିର ଝଟ୍କା
ଚୀନ୍ ସହିତ ଆଗାମୀ ତିନି ମାସରେ ହେବାକୁ ଥିବା ୯୦୦ କୋଟି ଟଙ୍କାର କାରବାରକୁ ହିରୋ ଗ୍ରୁପ୍ ରଦ୍ଦ କରିଛି। ଏହା ବଦଳରେ ହିରୋ ସାଇକଲ୍ ଆତ୍ମନିର୍ଭର ଭାରତ ଅଭିଯାନକୁ ସହାୟତା ଦେବା ଲାଗି ଲୁଧିଆନାରେ ସାଇକଲ୍ ପାଇଁ ବିଭିନ୍ନ ପ୍ରକାର ଛୋଟ ବଡ଼ ଉପକରଣ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି।
ଜେଏସ୍ଡବ୍ଲୁ ୩୦୦୦ କୋଟି ଆମଦାନି ବନ୍ଦ କରିବ
ଜେଏସ୍ଡବ୍ଲୁ ସିମେଣ୍ଟ୍ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି ତାଙ୍କ କଂପାନି ପ୍ରତିବର୍ଷ ଚୀନ୍ରୁ ୩୦୦୦ କୋଟି ଟଙ୍କାର ଆମଦାନି କରୁଥିଲା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଆମଦାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଂପାନି ନିଷ୍ପତ୍ତି ନେଇଛି। ଏଥିପାଇଁ ସେ ଦୃଢ଼ ସଂକଳ୍ପ ନେଇଛନ୍ତି।
ମେଟ୍ରୋ ଟ୍ରେନ୍ ପ୍ରକଳ୍ପରୁ ବିଦା
କାନପୁର-ଆଗ୍ରା ମେଟ୍ରୋ ଟ୍ରେନ୍ ପ୍ରକଳ୍ପରୁ ଏକ ଚୀନ୍ କଂପାନିକୁ ବିଦା କରାଯାଇଛି। କାର୍ଯ୍ୟରେ ଅହେତୁକ ବିଳମ୍ବ କରିଥିବା କାରଣ ଦର୍ଶାଇ ଉତ୍ତରପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ବୋମ୍ବାଡିୟର ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍କୁ ପ୍ରକଳ୍ପର କାର୍ଯ୍ୟବରାଦ ଦିଆଯାଇଛି।
ବିଏସ୍ଏନ୍ଏଲ୍ର ୪ଜି ଟେଣ୍ଡର ରଦ୍ଦ
୪ଜି ଉପକରଣ ମଗାଇବା ଲାଗି ସରକାରୀ ମୋବାଇଲ୍ କଂପାନି ବିଏସ୍ଏନ୍ଏଲ୍ ଯେଉଁ ଟେଣ୍ଡର ଆହ୍ବାନ କରିଥିଲା ତାହାକୁ ରଦ୍ଦ କରିଛି। ଚୀନ୍ କଂପାନି ହୁୱେଇ ଓ ଜେଡ୍ଟିଇକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ନୂଆ ଟେଣ୍ଡର ଆସିବ। ସେଥିରେ ଭାରତୀୟ କଂପାନିକୁ ଅଗ୍ରାଧିକାର ଦିଆଯିବ।
ରେଳବାଇର ଥର୍ମାଲ କ୍ୟାମେରା ଟେଣ୍ଡର ବାତିଲ
ରେଳବାଇ ପକ୍ଷରୁ ଥର୍ମାଲ କ୍ୟାମେରା ଟେଣ୍ଡରକୁ ବାତିଲ କରାଯାଇଛି। ବିଭିନ୍ନ ବିକ୍ରେତାଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଆଧାରରେ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏହି ଟେଣ୍ଡର ଜରିଆରେ ଯେଉଁ ସବୁ ଜିନିଷ ମଗାଯାଇଥିଲା ତାହା ଦ୍ବାରା ଚୀନ୍ କଂପାନିଗୁଡ଼ିକ ଲାଭବାନ ହେବେ ବୋଲି ବିକ୍ରେତାମାନେ ଅଭିଯୋଗ କରିଥିଲେ। ୮୦୦ କ୍ୟାମେରା ମଗାଇବା ଲାଗି ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ହିକ୍ଭିଜନ ନାମକ ଚୀନ୍ର କଂପାନି ଏହା ଦ୍ବାରା ଲାଭବାନ ହୋଇଥାନ୍ତା।
୪୭୧ କୋଟି ଟଙ୍କାର ରେଳ କାର୍ଯ୍ୟବରାଦ ବାତିଲ
ବେଜିଂ ନ୍ୟାସନାଲ୍ ରେଲ୍ୱେ ରିସର୍ଚ୍ଚ ଆଣ୍ଡ୍ ଡିଜାଇନ୍ ଇନଷ୍ଟିଚ୍ୟୁଟ୍କୁ ରେଳବାଇଠାରୁ ଯେଉଁ ୪୭୧ କୋଟି ଟଙ୍କାର କାର୍ଯ୍ୟବରାଦ ମିଳିଥିଲା ତାହାକୁ ବାତିଲ କରାଯାଇଛି। କାନପୁର ଓ ମୁଗଲସରାୟ ମଧ୍ୟରେ ୪୧୭ କିଲୋମିଟର ରେଳ ଲାଇଟ୍ର ସିଗ୍ନାଲ୍ ଓ ଦୂରସଂଚାର କାର୍ଯ୍ୟବରାଦ ଏହି କଂପାନିକୁ ଦିଆଯାଇଥିଲା।
ମହାରାଷ୍ଟ୍ର ଦେଇଛି ୫୦୦୦ କୋଟିର ଝଟ୍କା
ମହାରାଷ୍ଟ୍ର ସରକାର ଚୀନ୍ କଂପାନିଗୁଡ଼ିକ ସହିତ ସ୍ବାକ୍ଷରିତ ହୋଇଥିବା ୫୦୦୦ କୋଟି ଟଙ୍କା ମୂଲ୍ୟର ତିନିଟି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନିବେଶକ ସମ୍ମିଳନୀରେ ଏହି ଚୁକ୍ତି ହୋଇଥିଲା।
ଚୀନ୍କୁ ଭାରତର ଏକାଧିକ ଝଟ୍କା
/sambad/media/post_attachments/wp-content/uploads/2020/05/india-china-l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)