ମୁମ୍ବାଇ: ଦେଶର ତୈଳ ବିଶୋଧନ କ୍ଷମତାକୁ ଆସନ୍ତା ୫ ବର୍ଷ ମଧ୍ୟରେ ଦୁଇଗୁଣରେ ପହଞ୍ଚାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ସମୟରେ ପ୍ରଧାନମନ୍ତ୍ରୀ ତୈଳ ବିଶୋଧନ କ୍ଷେତ୍ରରେ ଏଭଳି ଉଚ୍ଚାଭିଳାଷୀ ଲକ୍ଷ୍ୟ ପୂରଣ ପାଇଁ ଘୋଷଣା କରିଛନ୍ତି। ଦେଶରେ ଏବେ ବାର୍ଷିକ ତୈଳ ବିଶୋଧନ କ୍ଷମତା ପ୍ରାୟ ୨୫୦ ନିୟୁତ ଟନ୍ ରହିଛି। କିନ୍ତୁ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ ଦୁଇଗୁଣ କରାଯାଇ ୪୫୦ରୁ ୫୦୦ ନିୟୁତ ଟନରେ ପହଞ୍ଚାଯିବ ବୋଲି ଗତ ଜୁନ ମାସରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲା ବେଳେ ମୋଦୀ ଆଜି ଏହି ଲକ୍ଷ୍ୟକୁ ୫ ବର୍ଷରେ ହାସଲ ପାଇଁ କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି। ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୋଦୀ ଆଜି ଏହା କହିଛନ୍ତି। ଏଥିସହିତ ଦେଶର ଶକ୍ତି ବ୍ୟବହାରରେ ପ୍ରାକୃତିକ ଗ୍ୟାସର ଯୋଗଦାନକୁ ୪ ଗୁଣ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ମୋଟ ଶକ୍ତି ବ୍ୟବହାରରେ ସ୍ବଚ୍ଛ ଇନ୍ଧନର ଯୋଗଦାନ ପ୍ରାୟ ୬ ପ୍ରତିଶତ ରହିଛି। ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍ ଏବଂ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ରେ ପହଞ୍ଚିବ ବୋଲି ମୋଦୀ କହିଛନ୍ତି। ୨୦୧୮ରେ ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ପ୍ରାୟ ୭୫ ଗିଗାୱାଟ୍ ରହିଥିଲା।
ଭାରତର ତୈଳ ବିଶୋଧନ କ୍ଷମତା ୫ ବର୍ଷରେ ଦୁଇଗୁଣ ହେବ: ମୋଦୀ
/sambad/media/post_attachments/wp-content/uploads/2020/10/narendra-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)