ନୂଆଦିଲ୍ଲୀ: ବିଶ୍ବ ସ୍ତରରେ ଥିବା ପେନ୍ସନ୍ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ମୋଟ ୪୩ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ଭାରତ ୪୦ତମ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ଆହୁରି ସଂସ୍କାରର ଆବଶ୍ୟକତା ରହିଥିବା ନେଇ ରିପୋର୍ଟରେ ଭାରତକୁ ପରାମର୍ଶ ଦିଆଯାଇଛି। ୨୦୨୦ରେ ଏହି ତାଲିକାରେ ଭାରତ ୩୪ତମ ସ୍ଥାନରେ ଥିଲା। ଏଥର ସେଥିରେ ଛଅଟି ପାହାଚ ଅବନତି ହୋଇଛି। ୨୦୨୧ର ସୂଚୀରେ ଭରତ ପଛକୁ କେବଳ ଫିଲିପାଇନ୍ସ, ଆର୍ଜେଣ୍ଟିନା ଓ ଥାଇଲ୍ୟାଣ୍ଡ୍ ରହିଛନ୍ତି। ଭାରତ ‘ଡି’ ବର୍ଗରେ ରହିଛି।
ମର୍ସର ସିଏଫ୍ଏସ୍ ଗ୍ଲୋବାଲ୍ ପେନ୍ସନ୍ ଇଣ୍ଡେକ୍ସ ସର୍ଭେ ଅନୁଯାୟୀ, ଭାରତର ମୋଟ ସୂଚୀ ମୂଲ୍ୟ ହେଉଛି ୪୩.୩। ୨୦୨୦ରେ ଏହାର ସୂଚୀ ମୂଲ୍ୟ ୪୫.୭ ଭଳି ଉନ୍ନତ ସ୍ତରରେ ଥିଲା। ସମଗ୍ର ବିଶ୍ବରେ ଆଇସ୍ଲ୍ୟାଣ୍ଡ୍ର ପେନ୍ସନ୍ ବ୍ୟବସ୍ଥାକୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି। ଏହାର ସୂଚୀ ମୂଲ୍ୟ ହେଉଛି ୮୪.୨। ଥାଇଲ୍ୟାଣ୍ଡ୍ର ସୂଚୀ ମୂଲ୍ୟ ସର୍ବନିମ୍ନ ୪୦.୬ ରହିଛି। ଏହା ତାଲିକାର ଶେଷ ସ୍ଥାନରେ ରହିଛି। ତିନିଟି ପ୍ରମୁଖ ମାନଦଣ୍ଡ-ପର୍ଯ୍ୟାପ୍ତ, ନିରନ୍ତରତା ଏବଂ ସଂହତିକୁ ନେଇ ସବୁ ଦେଶର ପେନ୍ସନ୍ ବ୍ୟବସ୍ଥାର ରୢାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଇଛି। ଏହି ତିନି ମାନଦଣ୍ଡରେ ଭାରତର ସ୍କୋର ଯଥାକ୍ରମେ ୩୩.୫, ୪୧.୮ ଓ ୬୧ ରହିଥିଲା।
ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତର ଶ୍ରମଶକ୍ତି ନିଜ ଉଦ୍ୟମରେ ପେନ୍ସନ୍ ସଞ୍ଚୟ କରୁଛନ୍ତି। ଘରୋଇ କ୍ଷେତ୍ରର ପେନ୍ସନ୍ ବ୍ୟବସ୍ଥା ୬% ଭଳି ନିମ୍ନ ସ୍ତରରେ ରହିଛି। ଯେହେତୁ ଦେଶର ୯୦% ଶ୍ରମ ଶକ୍ତି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତେଣୁ ସେମାନଙ୍କୁ ପେନ୍ସନ୍ ସଞ୍ଚୟ ବ୍ୟବସ୍ଥାରେ ସାମିଲ କରିବା ଲାଗି ସରକାରଙ୍କୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ପେନ୍ସନ୍ ସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ସରକାର ସାମାଜିକ ସୁରକ୍ଷା ଯୋଜନା ଓ ଜାତୀୟ ପେନ୍ସନ୍ ବ୍ୟବସ୍ଥା (ଏନ୍ପିଏସ୍) ଘୋଷଣା କରିଛନ୍ତି। ଏନ୍ପିଏସ୍ ବେଶ ଲୋକପ୍ରିୟ ହେବାରେ ଲାଗିଛି। ସରକାର ଏକ ନୂଆ ସାମାଜିକ ସୁରକ୍ଷା କୋଡ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ, ଗିଗ୍ ଶ୍ରମିକମାନଙ୍କୁ ସାମିଲ କରିବା ଯୋଜନା ରହିଛି। ଏହି କୋଡ୍ର ବିଜ୍ଞପ୍ତି ପ୍ରକାଶ ପାଇଲେ ଭାରତର ପେନ୍ସନ୍ ବ୍ୟବସ୍ଥା ଆହୁରି ଦୃଢ଼ ହେବ ବୋଲି ମର୍ସରର ଭାରତୀୟ ବ୍ୟବସାୟ ମୁଖ୍ୟ ପ୍ରୀତି ଚନ୍ଦ୍ରଶେଖର କହିଛନ୍ତି।
ଭାରତର ପେନ୍ସନ୍ ବ୍ୟବସ୍ଥା ଯୋଗଦାନ ଭିତ୍ତିକ ରହିଛି। କର୍ମଚାରୀମାନଙ୍କ ବେତନର କିଛି ଅଂଶ ଓ ନିଯୁକ୍ତିଦାତା ଦେଉଥିବା ଭାଗକୁ ନେଇ ପେନ୍ସନ୍ ପାଣ୍ଠି ସୃଷ୍ଟି କରାଯାଇଛି। ସଂଗଠିତ କ୍ଷେତ୍ର ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପ୍ରାଥମିକ ଉତ୍ସ ହୋଇରହିଛି। ପେନ୍ସନ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଗରିବ ବର୍ଗର ବୟସ୍କ ଲୋକମାନଙ୍କ ପାଇଁ ପେନ୍ସନ୍ର ଏକ ସର୍ବନିମ୍ନ ସ୍ତର ନିର୍ଧାରଣ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଅଣ ସଂଗଠିତ କ୍ଷେତ୍ରର ଅଧିକରୁ ଅଧିକ ଶ୍ରମିକ କିଭଳି ପେନ୍ସନ୍ ବ୍ୟବସ୍ଥାରେ ସାମିଲ ହୋଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଘରୋଇ ପେନ୍ସନ୍ ବ୍ୟବସ୍ଥା ଲାଗି ନିୟାମକ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ରିପୋର୍ଟରେ ଭାରତକୁ ପରାମର୍ଶ ଦିଆଯାଇଛି।