ପିଆଣ୍ଡ୍‌ଜିର ସିଓଓ ହେଲେ ଭାରତର ଶୈଳେଶ

ଚେନ୍ନାଇ/ମୁମ୍ବାଇ: ଭାରତରେ ଜନ୍ମ ହୋଇଥିବା ଏବଂ ପାଠ ପଢ଼ିଥିବା ଶୈଳେଶ ଜେଜୁରିକର ବହୁରାଷ୍ଟ୍ରୀୟ ଏଫ୍‌ଏମ୍‌ସିଜି କମ୍ପାନି ପ୍ରୋକ୍ଟର ଆଣ୍ଡ୍ ଗାମ୍ବଲ (ପି ଆଣ୍ଡ୍‌ ଜି)ର ଗ୍ଲୋବାଲ ସିଓଓ ନିଯୁକ୍ତ ହୋଇଛନ୍ତି। ୫୪ ବର୍ଷୀୟ ଶୈ‌ଳେଶ ମୁମ୍ବାଇରେ ଜନ୍ମ ହୋଇଥିବାବେଳେ ହାଇଦ୍ରାବାଦ ପବ୍ଲିକ୍ ସ୍କୁଲରେ ପାଠ ପଢ଼ିଥିଲେ। ସେଠାରେ ତାଙ୍କର ସହପାଠୀ ଥିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲା। ଶୈଳେଶଙ୍କ ବଡ଼ ଭାଇ ମଧ୍ୟ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ। ଅନ୍ତର୍ଜାତୀୟ ସ୍ତରରେ ଭାରତୀୟମାନଙ୍କ ଉନ୍ନତି ଆମ ପାଇଁ ଗର୍ବ ବୋଲି ଶୈଳେଶଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ମତ ଦେଇଛନ୍ତି ତାଙ୍କ ବଡ଼ ଭାଇ ରାଜେଶ ଜେଜୁରିକର।

ବିଦେଶୀ ଶିକ୍ଷା ଲାଭ ନକରି ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ହୋଇପାରିଥିବା ହାତଗଣତି କିଛି ବ୍ୟକ୍ତିଙ୍କ ମଧ୍ୟରେ ଶୈ‌ଳେଶ ଅନ୍ୟତମ। ମୁମ୍ବାଇର ଏଲଫିନଷ୍ଟୋନ୍ କଲେଜରୁ ୧୯୮୭ ମସିହାରେ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ୧୯୮୯ରେ ଆଇଆଇଏମ୍-ଲକ୍ଷ୍ନୌରୁ ଏମ୍‌ବିଏ ଡିଗ୍ରି ହାସଲ କରିବା ପରେ ସେ ପି ଆଣ୍ଡ୍‌ ଜି ରେ ପର୍ସନାଲ ହେଲଥକେୟାର ଉତ୍ପାଦ ପାଇଁ ଆସିଷ୍ଟାଣ୍ଟ ବ୍ରାଣ୍ଡ୍‌ ମ୍ୟାନେଜର ଭାବେ ‌କାମ ଆରମ୍ଭ କରିଥିଲେ। ୧୯୮୯ ଜୁଲାଇରୁ ପହିଲାରୁ ସେ ଏହି କମ୍ପାନିରେ କାର୍ଯ୍ୟ କରିଆସୁଛନ୍ତି। ତେବେ ତାଙ୍କ ନୂଆ ନିଯୁକ୍ତି ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ। ସେ କମ୍ପାନିର ନବନିଯୁକ୍ତ ସିଇଓ ଜନ ଆର୍‌ ମୋଏଲରଙ୍କୁ ରିପୋର୍ଟ କରିବେ। ବର୍ତ୍ତମାନ ସିଓଓ ଥିବା ମୋଏଲର ଆସନ୍ତା ନଭେମ୍ବର ପହିଲାରୁ ସିଇଓ ଦାୟିତ୍ବ ସମ୍ଭାଳିବେ। ସେହିଭଳି ସିଇଓ ଥିବା ଡେଭିଡ ଟେଲର କମ୍ପାନିର ଅଧ୍ୟକ୍ଷ ହେବେ। ଆମେରିକାର ସିନସିନାଟି ଭିତ୍ତିକ ପ୍ରୋକ୍ଟର ଆଣ୍ଡ୍ ଗାମ୍ବଲ ହେଉଛି ବିଶ୍ବର ବୃହତ୍ତମ ଖାଉଟି ଉତ୍ପାଦ କମ୍ପାନି।

ସମ୍ବନ୍ଧିତ ଖବର