ସାଉଦି ଆରବକୁ ଭାରତର ଝଟ୍‌କା, ମେ’ରେ ୩୬ ପ୍ରତିଶତ କମ୍ ତେଲ ଆମଦାନି କରିବ

ଇରାକରୁ ସର୍ବାଧିକ ଆମଦାନି

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ଏବଂ ଉତ୍ପାଦନ ପ୍ରସଙ୍ଗକୁ ନେଇ ଗତ କିଛିମାସ ହେଲା ଭାରତ ଏବଂ ସାଉଦି ଆରବ ମଧ୍ୟରେ ସଂପର୍କ ଏକପ୍ରକାର ତିକ୍ତ ହେବାରେ ଲାଗିଛି। ଭାରତ ପକ୍ଷରୁ ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବାକୁ ଓପେକ୍‌ ଓ ଏହାର ସହଯୋଗୀ ଦେଶଗୁଡ଼ିକୁ କୁହାଯାଇଥିଲା। କିନ୍ତୁ ସାଉଦି ଆରବ ଏଥିରେ ରାଜି ହୋଇ ନଥିଲା। ବରଂ ଗତବର୍ଷ ଭାରତ ଶସ୍ତାରେ କିଣିଥିବା ତେଲକୁ ବ୍ୟବହାର କରୁବୋଲି ସାଉଦି ଆରବ ପରାମର୍ଶ ଦେଇଥିଲା। ଅବଶ୍ୟ ଗତ ସପ୍ତାହରେ ଅନୁଷ୍ଠିତ ଓପେକ୍ ଓ ଏହାର ସହଯୋଗୀ ଦେଶଗୁଡ଼ିକର ବୈଠକରେ ଉତ୍ପାଦନ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲରେ ମଧ୍ୟ ଓପେକ୍ ଓ ଏହାର ସହଯୋଗୀ ଦେଶଗୁଡ଼ିକ କମ୍ ତେଲ ଉତ୍ପାଦନ କରିବେ ବୋଲି ନିଷ୍ପତ୍ତି ନେବା ପରେ ଭାରତ ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ସାଉଦି ଆରବରୁ ମେ ମାସରେ କମ୍ ତେଲ ଆମଦାନି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯଦିଓ ମେ ମାସରୁ ପର୍ଯ୍ୟାୟକ୍ରମେ ଓପେକ୍ ଦେଶସମୂହ ତେଲ ଉତ୍ପାଦନ ବଢ଼ାଇବାକୁ ସ୍ଥିର କରିଛନ୍ତି ତଥାପି ଭାରତ ସାଉଦି ଆରବରୁ କମ୍ ତେଲ ଆମଦାନି କରିବ ବୋଲି କହିଛି। ମେ ମାସରେ ଭାରତ ଏହି ମଧ୍ୟପ୍ରାଚ୍ୟ ଦେଶରୁ ୩୬ ପ୍ରତିଶତ କମ୍ ତେଲ ଆମଦାନି କରିବ ବୋଲି ଜଣାଯାଇଛି।

ଗତ ଫେବ୍ରୁଆରିରେ ଭାରତର ମୋଟ ଅଶୋଧିତ ତେଲ ଆମଦାନିର ୧୪ ପ୍ରତିଶତ ଆମେରିକାରୁ ହୋଇଥିବାବେଳେ ସାଉଦି ଆରବରୁ ତେଲ ଆମଦାନି ୪୨ ପ୍ରତିଶତ ହ୍ରାସ ଘଟିଥିଲା। ଇରାକକୁ ଭାରତ ସବୁଠୁ ଅଧିକ ତେଲ ଆମଦାନି କରିଥିବାବେଳେ ଏହା ପଛକୁ ଯଥାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା, ନାଇଜେରିଆ ଏବଂ ସାଉଦି ଆରବ ରହିଥିଲେ। ଫେବ୍ରୁଆରିରେ ଭାରତ ଇରାକରୁ ଦୈନିକ ୮,୬୭,୫୦୦ ବ୍ୟାରେଲ ତେଲ ଆଣିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରୁ ୫୪୫୩୦୦ ବ୍ୟାରେଲ, ନାଇଜେରିଆରୁ ୪୭୨୩୦୦ ବ୍ୟାରେଲ ଏବଂ ସାଉଦି ଆରବରୁ ୪୪୫୨୦୦ ବ୍ୟାରେଲ ତେଲ ଆମଦାନି କରିଛି। ମଧ୍ୟପ୍ରାଚ୍ୟ ଉପରୁ ଭାରତ ଏହାର ନିର୍ଭରଶୀଳତା ଗତ କିଛିବର୍ଷ ହେଲା କମ କରିବାରେ ଲାଗିଛି। ୨୦୧୬ ମସିହାରେ ଭାରତ ମଧ୍ୟପ୍ରାଚ୍ୟରୁ ଏହାର ମୋଟ ଆମଦାନିର ୬୪ ପ୍ରତିଶତ କିଣୁଥିବାବେଳେ ୨୦୧୯ରେ ଏହା ୬୦ ପ୍ରତିଶତ ତଳକୁ ଖସିଯାଇଛି। ଅବଶ୍ୟ କରୋନା ମହାମାରୀ ସମୟରେ ଏହି ଧାରାରେ ପରିବର୍ତ୍ତନ ଆସିଥିଲା। କିନ୍ତୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆହ୍ବାନ ପରେ ଦେଶର ତୈଳ କମ୍ପାନିଗୁଡ଼ିକ ନୂଆ ଦେଶରୁ ତୈଳ ଆମଦାନି ଉଦ୍ୟମ ଚଳାଇଛନ୍ତି। ଏପରିକି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁଏନାରୁ ମଧ୍ୟ ଭାରତ ତୈଳ ଆମଦାନି ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର