ଧନୀଙ୍କ ଟିକସ ନେଇ ଅର୍ଥ ମନ୍ତ୍ରାଳୟର ସଫେଇ, ଆମେରିକାଠାରୁ ଭାରତରେ ଟିକସ କମ୍

ନୂଆଦିଲ୍ଲୀ: ଭାରତରେ ଏବେ ଧନୀ ବ୍ୟକ୍ତିଙ୍କ ଠାରୁ ଆଦାୟ କରାଯାଉଥିବା ଆୟକର ହାର ଆମେରିକା, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଠାରୁ କମ୍ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଧନୀଙ୍କ ଉପରେ ସରଚାର୍ଜ ବୃଦ୍ଧି କରିଛନ୍ତି। ଏହାଦ୍ବାରା ଆମେରିକାଠାରୁ ଭାରତରେ ଧନୀମାନେ ଅଧିକ ଟିକସ ଦେଉଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ପ୍ରକାଶ ପରେ ଅର୍ଥ ମନ୍ତ୍ରାଳୟ ଏହା ଉପରେ ସଫେଇ ଦେଇଛି।

ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଚୀନ ଏବଂ ଦକ୍ଷିଣ ଆଫ୍ରିକାରେ ବ୍ୟକ୍ତିଗତ ଆୟକର ହାର ୪୫% ହୋଇଥିବାବେଳେ ଆମେରିକା‌ରେ ଏହା ୫୦.୩% ରହିଛି। ତେବେ ଅର୍ଥମନ୍ତ୍ରୀ ବଜେଟରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଦ୍ବାରା ଭାରତରେ ଧନୀଙ୍କ ଉପରେ ସେତେଟା ଟିକସ ବୋଝ ପଡ଼ିବ ନାହିଁ। ସେ କହିଛନ୍ତି ୨ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସରଚାର୍ଜ ୧୫%ରୁ ୨୫%କୁ ବୃଦ୍ଧି କରାଯାଇଛି। ସେହିଭଳି ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସରଚାର୍ଜ ହାର ୧୫%ରୁ ୩୭%କୁ ବୃଦ୍ଧି କରିଛନ୍ତି। ସରଚାର୍ଜ ବୃଦ୍ଧି ପରେ ୨ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଭାବୀ ଆୟକର ହାର ୩୫.୮୮% ପରିବର୍ତ୍ତେ ୩୯%କୁ ବୃଦ୍ଧି ପାଇବ। ସେହିଭଳି ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଭାବୀ ଆୟକର ହାର ୪୨.୭%କୁ ବୃଦ୍ଧି ପାଇବ। ବ୍ରି‌ଟେନରେ ଧନୀବ୍ୟକ୍ତିଙ୍କ ଠାରୁ ୪୫%, ଜାପାନରେ ୪୫.୯%, କାନାଡ଼ାରେ ୫୪% ଏବଂ ଫ୍ରାନ୍ସରେ ୬୬% ଆୟକର ଆଦାୟ କରାଯାଉଛି। ଯେଉଁମାନେ ଅଧିକ ଉପାର୍ଜନ କରୁଛନ୍ତି ସେମାନେ ଅଧିକ ଟିକସ ଦେବା ଆବଶ୍ୟକ ବୋଲି ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର