ଦେଶର ଆକାଂକ୍ଷୀ ଜିଲ୍ଲା ରୢାଙ୍କ୍‌: ନୂଆପଡ଼ା ଦ୍ବିତୀୟ, କୋରାପୁଟ ପଞ୍ଚମ

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡ଼ିଶାର ୨ଟି ଜିଲ୍ଲା ସ୍ଥାନ ପାଇଛି। ନୂଆପଡ଼ା ଦ୍ବିତୀୟ ସ୍ଥାନ ପାଇଥିବାବେଳେ କୋରାପୁଟ ପଞ୍ଚମ ସ୍ଥାନରେ ରହିଛି। ‌ନିତି ଆୟୋଗ ପକ୍ଷରୁ ଏହି ଘୋ‌ଷଣା କରାଯାଇଛି। ‌‌େଦଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ତାମିଲନାଡ଼ୁର ବିରୁଦୁନଗର ପ୍ରଥମ ଏବଂ ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ତୃତୀୟ ସ୍ଥାନରେ ଏବଂ ବିହାରର ଔରଙ୍ଗାବାଦ ଚତୁର୍ଥ ସ୍ଥାନରେ ରହିଛି। ଚଳିତବର୍ଷ ଜୁନ୍ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ଦେଶର ୧୧୧ଟି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକ ହାସଲ କରିଥିବା ଅଗ୍ରଗତିକୁ ବିଚାରକୁ ନେଇ ଏହି ରୢାଙ୍କ ପ୍ରସ୍ତୁତ କରାଯାଇଛି। ୬ଟି ବିକାଶମୂଳକ କ୍ଷେତ୍ରକୁ ଏଥିପାଇଁ ବିଚାରକୁ ନିଆଯାଇଥିଲା। ସେହି ‌୬ଟି କ୍ଷେତ୍ର ହେଲା ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଏବଂ ଜଳ ସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି।

ସାମଗ୍ରୀକ ସୂଚୀରେ ନୂଆପଡ଼ା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଶିକ୍ଷା ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଅଷ୍ଟମ, ଦକ୍ଷତା ବିକାଶରେ ୫୩ତମ, କୃଷିରେ ୬୮ତମ ଏବଂ ସ୍ବାସ୍ଥ୍ୟରେ ୬୯ତମ ସ୍ଥାନରେ ରହିଛି। ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ନୂଆପଡ଼ା ଦ୍ବିତୀୟ ସ୍ଥାନରେ ଥିବାବେଳେ କୋରାପୁଟ ପଞ୍ଚମ, ବଲାଙ୍ଗୀର ଚତୁର୍ଦ୍ଦଶ, ଗଜପତି ୩୪ତମ, ଢେଙ୍କାନାଳ ୩୬ତମ, କନ୍ଧମାଳ ୩୭ତମ, ରାୟଗଡ଼ା ୭୭ତମ, କଳାହାଣ୍ଡି ୮୫ତମ, ନବରଙ୍ଗପୁର ୯୯ତମ ଏବଂ ମାଲକାନଗିରି ୧୦୫ତମ ସ୍ଥାନରେ ରହିଥିବା ଜଣାଯାଇଛି। ଗଜପତି ସାମଗ୍ରିକ ସୂଚୀରେ ୩୪ତମ ସ୍ଥାନରେ ରହିଥିଲେ ମଧ୍ୟ କୃଷି କ୍ଷେତ୍ରରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ସବୁଠୁ କମ୍ ବିକଶିତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ହେଲେ ଝାଡ଼ଖଣ୍ଡର ପାକୁର(୧୧୧ତମ), ଆସାମର ‌‌ହୈଲାକାଣ୍ଡି (୧୧୦ତମ) ଏବଂ ଝାଡ଼ଖଣ୍ଡର ଛତ୍ରା(୧୦୯ତମ)। ନିତି ଆୟୋଗ ପକ୍ଷରୁ କରାଯାଇଥିବା ଦ୍ବିତୀୟ ଡେଲଟା ରୢାଙ୍କରୁ ଏହି ତଥ୍ୟ ଜଣାଯାଇଛି। ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୧୧୧ଟି ଜିଲ୍ଲା ଏଥିରେ ଭାଗ ନେଇଥିଲେ। ପଶ୍ଚିମବଙ୍ଗର ୩ଟି ଜିଲ୍ଲା ଏଥିରେ ଭାଗ ନେଇ ନଥିବା ବେଳେ ବନ୍ୟା ଯୋଗୁ ‌କେରଳର ଗୋଟିଏ ଜିଲ୍ଲା ଏଥିରେ ଅଂଶଗ୍ରହଣ କରିବା ସମ୍ଭବ ହୋଇପାରି ନଥିଲା। ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏହି ନୂଆ ରୢାଙ୍କକୁ ଉନ୍ମୋଚନ କରିଛନ୍ତି। ପ୍ରଥମ ତାଲିକା ଗତ ଜୁନ୍ ମାସରେ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର