ଲକଡାଉନ ଯୋଗୁଁ ବଢିଚାଲିଛି ଦେଶର ବେକାରୀ ହାର, ମେ ୩ୟ ସପ୍ତାହରେ ୨୪.୩%କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତି ଏକ ବଡ଼ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।

ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ)ର ରିପୋର୍ଟ ଅନୁସାରେ ମେ ୨୪ ସମାପ୍ତ ସପ୍ତାହରେ ଭାରତର ବେକାରୀ ହାର ୨୪.୩ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବ ସପ୍ତାହରେ ଏହା ୨୪ ପ୍ରତିଶତ ଥିଲା । ଲକଡାଉନ ହୋଇଥିବା ୮ ସପ୍ତାହରେ ଭାରତର ବେକାରୀ ହାର ହାରାହାରି ୨୪.୨ ପ୍ରତିଶତ ରହିଛି । ଲକଡାଉନ ପୂର୍ବରୁ ମାର୍ଚ୍ଚ ମାସରେ ଏହା ୮.୮ ପ୍ରତିଶତ ଥିଲା । ହାରାହାରି ଭାବେ ଏପ୍ରିଲରେ ଦେଶର ବେକାରୀ ହାର ୨୭ ପ୍ରତିଶତ ଥିବାବେଳେ ମେ ମାସରେ ତାହା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ବେକାରୀ ହାର ୨ ପ୍ରତିଶତ ବଢିବା ଅର୍ଥ ପ୍ରାୟ ୨ କୋଟି ଲୋକ ବେକାର ହୋଇଯାଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଚଳିତ ମାନ୍ଦାବସ୍ଥା ଯୋଗୁଁ ଦେଶରେ ୭୨ ନିୟୁତ ବା ୭ କୋଟି ୨୦ ଲକ୍ଷ ଲୋକ ଅସ୍ଥାୟୀଭାବେ କର୍ମସଂସ୍ଥାନ ହରାଇଛନ୍ତି । ସେହିପରି ଏସବିଆଇ ରିସର୍ଚ୍ଚର ପୂର୍ବାନୁମାନ ଅନୁସାରେ ଏହି ସଂକଟ ଯୋଗୁଁ ଖୁଚୁରା କ୍ଷେତ୍ରରେ ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଚାକିରି ହରାଇବେ । କେବଳ ଖୁଚୁରା କ୍ଷେତ୍ର ନୁହେଁ, ପର୍ଯ୍ୟଟନ, ଇ-କମର୍ସ, ରେଷ୍ଟୋରାଁ ଆଦି ଶିଳ୍ପ ବ୍ୟାପକ କ୍ଷତି ସହିବେ ।

ସମ୍ବନ୍ଧିତ ଖବର