ମହାମାରୀ ପ୍ରଭାବ : ଅଗଷ୍ଟରେ ଦେଶର ବେକାରୀ ହାର ୮.୩୨% କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତରେ ବେକାରୀ ହାର ବଢିଚାଲିଛି । ଜୁଲାଇ ମାସରେ ଦେଶର ବେକାରୀ ହାର ୬.୯୬ ପ୍ରତିଶତ ଥିବାବେଳେ ଅଗଷ୍ଟ ମାସରେ ତାହା ୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି  ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକନୋମୀ (ସିଏମଆଇଇ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ମାସରେ ଦେଶରେ ପ୍ରାୟ ୧୫ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି । ଏହା ମଧ୍ୟରେ ରହିଛି ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ଥିବା ନିଯୁକ୍ତି । ତେବେ ସିଏମଆଇଇର ସିଇଓ ତଥା ଏମଡି ମହେଶ ବ୍ୟାସ କହିଛନ୍ତି ଯେ, ସ୍ଥିତି ସେତେଟା ଖରାପ ନାହିଁ । କାରଣ ଅଗଷ୍ଟରେ ନିଯୁକ୍ତି ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଫସଲ ବୁଣିବା ବା ତଳି ଲଗାଇବା କାମ ଶେଷ ହୋଇଯାଇଥିବାରୁ କୃଷି ଶ୍ରମିକମାନେ ନିଯୁକ୍ତି ହରାଇଛନ୍ତି । ଏକ ଅଟକଳ ଅନୁସାରେ ଅଗଷ୍ଟରେ ପ୍ରାୟ କୃଷି କ୍ଷେତ୍ରରେ ପ୍ରାୟ ୮୦ ଲକ୍ଷ ନିଯୁକ୍ତି ହ୍ରାସ ପାଇଛି । କିନ୍ତୁ ନିଯୁକ୍ତି ହରାଇଥିବା ଶ୍ରମିକମାନେ ଅନ୍ୟ କ୍ଷେତ୍ରରେ ନିୟୋଜିତ ହୋଇଥିବାରୁ ପ୍ରକୃତ ନିଯୁକ୍ତି ହ୍ରାସ ୧୫ଲକ୍ଷରେ ସୀମିତ ରହିଛି । ଏହା ଦର୍ଶାଉଛି ଯେ ଅନ୍ୟ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର