ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ ପରେ ରିହାତିରେ ତେଲ ବିକ୍ରି କରୁଥିବା ରୁଷ୍ଠାରୁ ଭାରତ ବିପୁଳ ଅଶୋଧିତ ତେଲ କିଣୁଥିଲା। କିନ୍ତୁ ନିକଟରେ ଏହା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଆମେରିକା ଯେଉଁ ସଂସ୍ଥାଗୁଡ଼ିକ ଉପରେ କଟକଣା ଲଗାଇଛି, ସେମାନଙ୍କଠାରୁ ତେଲ ନ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି। ରୁଷ୍ର ସଂସ୍ଥା ଗାଜପ୍ରମ୍ ନେଫ୍ଟ, ସୁର୍ଗୁଟନେଫ୍ଟେଗ୍ୟାଜ୍, ଇନ୍ଗୋସ୍ଟ୍ରାଖ୍ ଓ ଆଲଫାଷ୍ଟ୍ରାଖୋଭାନି ଗ୍ରୁପ୍ ଉପରେ ଆମେରିକାର ଟ୍ରେଜେରି ବିଭାଗ କଟକଣା ଲଗାଇଛି। ଏହି ସଂସ୍ଥାଗୁଡ଼ିକ ଜରିଆରେ ରୋଜଗାର କରି ସେହି ଅର୍ଥକୁ ୟୁକ୍ରେନ୍ ବିରୋଧ ଯୁଦ୍ଧରେ ରୁଷ୍ ବ୍ୟବହାର କରୁଥିବା ଆମେରିକା ସନ୍ଦେହ କରୁଛି। ରୁଷ୍ ତେଲ ପରିବହନ କରୁଥିବା ୧୮୩ଟି ଜାହାଜ ଉପରେ ମଧ୍ୟ ଆମେରିକା କଟକଣା ଲଗାଇଛି।
ତେବେ କଟକଣା ଲାଗୁ ହେବା ପୂର୍ବରୁ ଭାରତ ଯେଉଁ ତେଲ ମଗାଇଛି ତାହା ପହଞ୍ଚିବାରେ ଅସୁବିଧା ହେବନାହିଁ। ଭବିଷ୍ୟତରେ ଭାରତକୁ ନିଜ ରଣନୀତି ବଦଳାଇବାକୁ ପଡ଼ିବ। ଆମେରିକାର କଟକଣା ବିଷୟ ଜଣାପଡ଼ିବା ପରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୮୧ ଡଲାରକୁ ବୃଦ୍ଧି ପାଇଛି। ଭାରତୀୟ କମ୍ପାନିଗୁଡ଼ିକ ରୁଷ୍ ତେଲକୁ ନେଇ ପୁଣି ଥରେ ମୁଲଚାଲ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଆମେରିକା, କାନାଡା, ବ୍ରାଜିଲ, ଗୁୟାନା ଓ ଓପେକ୍ର ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକରୁ ତେଲ ମଗାଇବା ଉପରେ ଭାରତ ବିଚାର କରୁଛି।