ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଅନ୍ଲାଇନ୍ ପାସେଞ୍ଜର ସର୍ଭିସ୍ ସିଷ୍ଟମ୍ ଆଜି ପ୍ରାୟ ୬ ଘଣ୍ଟା ଧରି ଡାଉନ୍ ରହିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଥିଲା। ଏଥିଯୋଗୁ ବିମାନ ବନ୍ଦରଗୁଡ଼ିକରେ ଚେକ୍-ଇନ୍ କାଉଣ୍ଟର ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସମସ୍ୟା ସାମ୍ନାକୁ ଆସିବା ପ୍ରାୟ ଘଣ୍ଟାଏ ପରେ ଏୟାରଲାଇନ୍ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ନେଟୱର୍କ ବ୍ୟବସ୍ଥାରେ ସାମୟିକ ମନ୍ଥରତା ପରିଲକ୍ଷିତ ହୋଇଛି ବୋଲି କୁହାଯାଇଥିଲା। ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଧାଡ଼ିରେ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିପାରେ ବୋଲି ଇଣ୍ଡିଗୋ ସତର୍କ କରାଇ ଥିଲା। ଏଥିଯୋଗୁ କମ୍ପାନିର ୱେବସାଇଟ୍ ଏବଂ ବୁକିଂ ବ୍ୟବସ୍ଥା ପ୍ରଭାବିତ ହୋଇଛି। କର୍ମଚାରୀମାନେ ବିମାନ ବନ୍ଦରରେ ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପସ୍ଥିତ ରହିଛନ୍ତି। ଯଥାଶୀଘ୍ର ବ୍ୟବସ୍ଥାରେ ସ୍ବାଭାବିକତା ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ବୋଲି ଇଣ୍ଡିଗୋ କହିଥିଲା। ଅସୁବିଧା ପାଇଁ କମ୍ପାନି ଦୁଃଖ ପ୍ରକାଶ ମଧ୍ୟ କରିଥିଲା।
ସାମାଜିକ ଗଣମାଧ୍ୟମରେ କେତେକ ବ୍ୟକ୍ତି ବିମାନ ବନ୍ଦରରେ ଲମ୍ବା ଧାଡ଼ିର ଫଟୋ ପୋଷ୍ଟ୍ କରିଥିଲେ। ଲୋକମାନେ ଟିକଟ ବୁକ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ। ବିମାନବନ୍ଦରରେ ଏୟାରଲାଇନ୍ସର ଉଡ଼ାଣ ଏବଂ ଗ୍ରାଉଣ୍ଡ୍ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ଦେଶର ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ତେବେ ସନ୍ଧ୍ୟାରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଆମର ଏୟାରପୋର୍ଟ ସିଷ୍ଟମ୍ ଚାଲୁହୋଇଯାଇଛି। ଏଥିସହିତ ବିମାନବନ୍ଦରରେ ସେବା ମଧ୍ୟ ସ୍ବାଭାବିକ ହୋଇଛି। ଘରୋଇ ବିମାନସେବା ବଜାରରେ ଇଣ୍ଡିଗୋର ବଜାରଅଂଶ ୬୨ ପ୍ରତିଶତ। ୩୦୦ରୁ ଅଧିକ ବିମାନ ଜରିଆରେ ଦିନକୁ ୨୦୦୦ରୁ ଅଧିକ ଉଡ଼ାଣ କରୁଛି। ଏହାଫଳରେ କମ୍ପାନି ଦେଶର ୭୮ଟି ସହରକୁ ବିମାନ ଯାତ୍ରା ଜରିଆରେ ଯୋଡ଼ୁଛି।
ଉଲ୍ଲେଖଯୋଗ୍ୟ, ୩ ମାସ ତଳେ ବିଶ୍ବର ବିଭିନ୍ନ ଦେଶରେ ବିମାନଯାତ୍ରୀମାନେ ବଡ଼ଧରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆମେରିକାର ଆଣ୍ଟି ଭାଇରସ୍ କମ୍ପାନି କାଉଣ୍ଟରଷ୍ଟ୍ରାଇକ୍ ଏକ ସଫ୍ଟୱେର ଅପଡେଟ୍ କରିବା କାରଣରୁ ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମ୍ରେ ଚାଲୁଥିବା କୋଟି କୋଟି ସଂଖ୍ୟାରେ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ଏଥିଯୋଗୁ ବିମାନ ବନ୍ଦର, ବିମାନ, ଟ୍ରେନ, ଡାକ୍ତରଖାନା, ବ୍ୟାଙ୍କ, ରେସ୍ତୋରାଁ, ଡିଜିଟାଲ ପେମେଣ୍ଟ୍, ଷ୍ଟକ୍ ଏକ୍ସଚେଞ୍ଜ, ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ସୁପର ମାର୍କେଟ୍ ଭଳି ସଂସ୍ଥାରେ ସେବା ପ୍ରଦାନ ବ୍ୟାହତ ହୋଇଥିଲା। ତେବେ ସବୁଠୁ ଅଧିକ ପ୍ରଭାବ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ବିଶ୍ବରେ ପ୍ରାୟ ୩ ପ୍ରତିଶତ ଅର୍ଥାତ୍ ୪୨୯୫ଟି ବିମାନ ଉଡ଼ାଣ ବାତିଲ କରିବାକୁ ପଡ଼ିଥିଲା। କେବଳ ଆମେରିକାରେ ୧୧୦୦ ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ୧୭୦୦ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା। ଭାରତରେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ ସମେତ ଦେଶର ବଡ଼ ବଡ଼ ବିମାନ ବନ୍ଦରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।