ଇଣ୍ଡିଗୋ ପ୍ରତିଷ୍ଠାତାଙ୍କ କଳି ତୁଟିଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଘରୋଇ ବିମାନ କଂପାନି ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତା ରାକେଶ ଗଙ୍ଗୱାଲ ଓ ରାହୁଲ ଭାଟିଆ ଝଗଡ଼ା ବନ୍ଦ କରିବାକୁ ସହମତି ହୋଇଛନ୍ତି। କଂପାନି ପରିଚାଳନାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ମାସ ହେଲାଣି କଳି ଲାଗିଥିଲା। ଭାଟିଆଙ୍କ ଅନ୍ୟ କଂପାନିଗୁଡ଼ିକୁ ଇଣ୍ଡିଗୋର ବହୁ କଣ୍ଟ୍ରାକ୍ଟ ମିଳୁଥିବାରୁ ତାହା ଉପରେ ରାକେଶ ଆପତ୍ତି ଉଠାଇବା ପରଠାରୁ ବିବାଦ ଦେଖାଦେଇଥିଲା। ଇଣ୍ଡିଗୋରେ କର୍ପୋରେଟ୍ ଗଭର୍ଣ୍ଣାସ ନିୟମ ପାଳନ ହେଉନାହିଁ ବୋଲି ଅଭିଯୋଗ କରି ସେ ସେବି ଓ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଦୁଇ ପ୍ରତିଷ୍ଠାତାଙ୍କ ଭିତରେ ଲାଗିଥିବା କଳି ବନ୍ଦ କରିବା ଦିଗରେ କଂପାନିର ଅଧ୍ୟକ୍ଷ ଏମ୍ ଦାମୋଦରନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରାକେଶଙ୍କ ଦାବି ଅନୁଯାୟୀ ଇଣ୍ଡିଗୋରେ ସ୍ବାଧୀନ ନିର୍ଦେଶକଙ୍କ ସଂଖ୍ୟା ଦୁଇରୁ ବଢ଼ାଇ ଚାରି କରାଯାଇଛି। ଇଣ୍ଡିଗୋ ବୋର୍ଡରେ ରାହୁଲଙ୍କ ମନୋନୀତ ପାଞ୍ଚ ଜଣ ଓ ରାକେଶଙ୍କ ଦ୍ବାରା ମନୋନୀତ ଜଣେ ସଦସ୍ୟ ରହିବେ। ଜଣେ ମହିଳା ସ୍ବାଧୀନ ନିର୍ଦେଶକ ମଧ୍ୟ ବୋର୍ଡରେ ରହିବେ। କଂପାନି ପରିଚାଳନାରେ ଏଭଳି ପରିବର୍ତ୍ତନ ଅଣାଯିବା ପରେ ରାକେଶ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ ଆଗକୁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ‌ଇଣ୍ଡିଗୋ ବୋର୍ଡର ପୁନର୍ଗଠନ ବ୍ୟତୀତ ବିଭିନ୍ନ ସଂସ୍ଥା ସହ କଂପାନି ଯେଉଁ ଚୁକ୍ତି ସ୍ବାକ୍ଷର କରିଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର