ଏୟାର ଇଣ୍ଡିଆ ପାଇଁ ମିଳିତ ନିଲାମ ଡାକିବେ ଇଣ୍ଡିଗୋ ଓ କାତାର ଏୟାରୱେଜ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆକୁ କିଣିବାକୁ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଓ କାତାର ଏୟାରୱେଜ ଆଗ୍ରହ ପ୍ରକାଶ କରିଛନ୍ତି । ନିଲାମ ପୂର୍ବରୁ ସରକାର ପ୍ରିଲିମିନାରୀ ଇଣ୍ଟରେଷ୍ଟ ମେମୋରେଣ୍ଡମ୍ସ ଓ ଏକ୍ସପ୍ରେସନ ଅଫ ଇଣ୍ଟେରେଷ୍ଟ ଆମନ୍ତ୍ରଣ କରିବେ । ଇଣ୍ଟରଗ୍ଲୋବ ଅଭିଏସନ ଲିଃ ଦ୍ୱାରା ପରିଚାଳିତ ଇଣ୍ଡିଗୋ ଗତ ବର୍ଷମଧ୍ୟ ଏୟାର ଇଣ୍ଡିଆର ଇଣ୍ଟରନାସନାଲ ଅପରେସନ୍ସକୁ ଅଧିଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ।

ଏୟାର ଇଣ୍ଡିଆର ୫୧ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି । ୨୦୧୭ ଜୁନରେ  କେନ୍ଦ୍ର କ୍ୟାବିନେଟ୍ ଏୟାର ଇଣ୍ଡିଆର ଘରୋଇକରଣ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ଦେଇଥିଲା । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟକୁ କିଭଳି ସମ୍ପାଦନ କରାଯିବ ତାହାର ରଣନୀତି ଏହି କମିଟି ପ୍ରସ୍ତୁତ କରୁଛି। କେବଳ ଇଣ୍ଡିଗୋ ନୁହଁ, ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ଏବଂ ଜେଟ୍ ଏୟାରେଓ୍ଵଜ୍ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିସହିତ କେତେକ ବିଦେଶୀ କମ୍ପାନି ମଧ୍ୟ ଏୟାର ଇଣ୍ଡିଆ କିଣିବା ଲାଗି ଉଦ୍ୟମ ଚଳାଇଛନ୍ତି। ଗତ ଜାନୁୟାରୀମାସରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ବିଦେଶୀ କମ୍ପାନି ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଅନୁମତି ଦେଇଥିଲେ । ଏୟାର ଇଣ୍ଡିଆ ଉପରେ ମୋଟ ପ୍ରାୟ ୬୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏଥିମଧ୍ୟରୁ ୩୦ ହଜାର କୋଟିର ଋଣ ଛାଡ଼ କରିବା ଲାଗି ନିତି ଆୟୋଗ ସୁପାରିସ କରିଛି।

ସମ୍ବନ୍ଧିତ ଖବର