ମାର୍ଚ୍ଚ ୨୮ରୁ ଭୁବନେଶ୍ବର-ପାଟନା ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ

ଭୁବନେଶ୍ବର : ଦେଶର ପ୍ରମୁଖ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଆସନ୍ତା ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି ।

ଏହି ୨୨ଟି ନୂଆ ରୁଟ୍ ମଧ୍ୟରେ ଭୁବନେଶ୍ବର-ପାଟନା ରୁଟ୍ ମଧ୍ୟ ରହିଛି । ଏହି ରୁଟରେ ଆସନ୍ତା ମାର୍ଚ୍ଚ ୨୮ରୁ ନୂଆକରି ବିମାନ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଅନ୍ୟ ରୁଟ ଗୁଡ଼ିକ ହେଲେ ଅଗରତାଲା-ଆଇଜଲ, ଜୟପୁର-ଭରୋଦରା, ଚେନ୍ନାଇ-ଭରୋଦରା, ବାଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକତା-ଗୟା, କୋଚିନ-ତ୍ରିଭେନ୍ଦ୍ରମ, ଜୟପୁର-ସୁରଟ, ଚେନ୍ନାଇ-ସୁରଟ ଇତ୍ୟାଦି ।

କରୋନା ମହାମାରୀର ପ୍ରକୋପ କମିବା ସହ ଦେଶରେ ଆର୍ଥିକ କାର୍ଯ୍ୟକଳାପ ସ୍ବାଭାବିକ ହେବାରେ ଲାଗିଛି । ଘରୋଇ ବଜାରରେ ବିମାନ ଚଳାଚଳ ସ୍ଥିତି ଦିନକୁ ଦିନ ସ୍ବାଭାବିକ ହେବାରେ ଲାଗିଛି । ଗତବର୍ଷ ମାର୍ଚ୍ଚ ମାସରେ ସାରା ଦେଶରେ ଲକଡାଉନ ଲାଗୁ ହେବା ପରେ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା । କେତେକ ବିଶେଷ ବିମାନ ବ୍ୟତୀତ ଅନ୍ୟ ରୁଟରେ ଫ୍ଲାଇଟ ବନ୍ଦ ରହିଥିଲା । କିନ୍ତୁ ଦେଶରେ କଟକଣା ହଟିବା ପରେ ବିମାନ କମ୍ପାନିଗୁଡ଼ିକ ନୂଆ ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିଛନ୍ତି ।

ଗତକାଲି ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଥିଲେ । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଫଳରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର