ଇଣ୍ଡିଗୋ ମାଲିକଙ୍କ କଳି ଉପରେ ସରକାରଙ୍କ ନଜର

ମାଗିଲେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ମୁମ୍ବାଇ/ନୂଆଦିଲ୍ଲୀ,: ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତା ରାହୁଲ ଭାଟିଆ ଓ ରାକେଶ ଗଙ୍ଗୱାରଙ୍କ ମଧ୍ୟରେ ଯେଉଁ ଝଗଡ଼ା ଚାଲିଛି ତାହାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। କଂପାନିରେ କର୍ପୋରେଟ୍ ଗଭର୍ଣ୍ଣାସ ନିୟମର ଉଲ୍ଲଂଘନ ହେଉଛି ବୋଲି ରାକେଶ ଗଙ୍ଗୱାର୍‌ ଅଭିଯୋଗ କରିଥିଲେ। ସେହି ଅଭିଯୋଗରେ କେତେ ସତ୍ୟତା ଅଛି ତାହା ଜାଣିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିୟମ ବୋର୍ଡ (ସେବି) ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଡିଗୋକୁ ବିଭିନ୍ନ କାଗଜପତ୍ର ମଗାଯାଇଛି। ବିଭିନ୍ନ ସଂସ୍ଥା ସହିତ ଇଣ୍ଡିଗୋର ଯେଉଁ ଚୁକ୍ତି ରହିଛି ତାହାକୁ ଅନୁଧ୍ୟାନ କରି ‘ଇୱାଇ’ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ତାହାକୁ ଦାଖଲ କରିବା ପାଇଁ ଇଣ୍ଡିଗୋକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ବିଭିନ୍ନ ସଂସ୍ଥା ସହ ହୋଇଥିବା ଚୁକ୍ତି ଉପରେ ଇୱାଇ ପ୍ରସ୍ତୁତ କରିଥିବା ରିପୋର୍ଟ, ରାହୁଲ ଓ ରାକେଶଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଅଂଶଧନକାରୀ ବୁଝାମଣାପତ୍ର ଏବଂ ଇଣ୍ଡିଗୋ ସହିତ ରାହୁଲଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ସ୍ବାକ୍ଷର କରିଥିବା ଚୁକ୍ତି ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ସେବି ଇଣ୍ଡିଗୋକୁ କହିଛି। ସେହିପରି, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଡିଗୋ ଠାରୁ ଗଙ୍ଗୱାର୍‌ କରିଥିବା ଅଭିଯୋଗଗୁଡ଼ିକର ନିର୍ଦିଷ୍ଟ ଉତ୍ତର ମଗାଯାଇଛି। ବରିଷ୍ଠ କର୍ମଚାରୀ ନିଯୁକ୍ତ କରିବାରେ ଭାଟିଆଙ୍କ କ୍ଷମତା କେତେ, ଏକ ସ୍ବତନ୍ତ୍ର ବୋର୍ଡ ବୈଠକ ଡକାଇବା ପାଇଁ ଗଙ୍ଗୱାର କରୁଥିବା ଅନୁରୋଧ ଓ ବୋର୍ଡରେ ମହିଳା ସ୍ବାଧୀନ ନିର୍ଦେଶକଙ୍କ ଅଭାବ ବିଷୟରେ ମନ୍ତ୍ରଣାଳୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୋଟିଏ କଂପାନିରେ ୩୭% ଅଂଶଧନ ରଖିଥିବା ଜଣେ ଅଂଶଧନକାରୀ ଯେତେବେଳେ କଂପାନି ପରିଚାଳନା ନେଇ ଆପତ୍ତି ଉଠାଉଛନ୍ତି ତାହା ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଉପରେ ନଜର ପକାଇବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର