ଭାରତ-ଚୀନ୍‌ କୋଳାକୋଳି:ନିଜ ନିଜ ଉପରୁ ଟିକସ କମାଇଲେ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରକ୍ଷଣଶୀଳ ନୀତିକୁ ଚିନ୍ତିତ ଥିବା ଏସୀୟ ଦେଶଗୁଡ଼ିକ ଏକଜୁଟ ହେବା ଆରମ୍ଭ କରିଛନ୍ତି। ଗତକାଲି ଏସିଆର ୧୬ଟି ଦେଶ ମିଶି ଏକ ବୃହତ ବାଣିଜ୍ୟ ସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଆଉ କିଛି ଏସୀୟ ଦେଶ ଅନ୍ୟ ଦେଶଗୁଡ଼ିକର ବିଭିନ୍ନ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଛନ୍ତି।
ଭାରତ ପକ୍ଷରୁ ଚୀନ୍‌ ଓ ଅନ୍ୟ ପାଞ୍ଚଟି ଏସୀୟ ଦେଶର ୩୧୪୨ଟି ସାମଗ୍ରୀ ଉପରୁ ଟିକସ କମ୍‌ କରାଯାଇଛି। କିଛି ଦିନ ପୂର୍ବରୁ ଚୀନ୍‌ ପକ୍ଷରୁ ଭାରତ ଓ ଅନ୍ୟ ଦେଶଗୁଡ଼ିକର ୮୫୦୦ ସାମଗ୍ରୀ ଉପରୁ ଟିକସ କମ୍‌ କରାଯାଇଛି। ଭାରତ ଓ ଚୀନ୍‌କୁ ବାଦ ଦେଲେ ଅନ୍ୟ ଦେଶଗୁଡ଼ିକ ହେଉଛନ୍ତି ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ବାଲାଂଦେଶ ଓ ଲାଓସ୍‌।
ଟିକସ ପରିମାଣ ହ୍ରାସ ପାଇଥିବାରୁ ଏହି ଛଅ ଦେଶ ଭିତରେ ବାଣିଜ୍ୟ କାରବାର ପରିମାଣ ଆହୁରି ବଢ଼ିବ। ସେମାନଙ୍କ ମଧ୍ୟରେ ଥିବା ବାଣିଜ୍ୟ ନିଅଣ୍ଟ୍‌ କମ୍‌ ହେବ। ଏହି ଦେଶଗୁଡ଼ିକର ରପ୍ତାନିକାରୀମାନଙ୍କୁ ନୂଆ ବଜାର ମିଳିବ। ସେମାନଙ୍କୁ ଆଉ ଧନୀ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବ ନାହିଁ। ଆମେରିକା ଭଳି ଧନୀ ଦେଶ ରକ୍ଷଣଶୀଳ ନୀତି ଆପଣେଇଛନ୍ତି। ସେମାନଙ୍କ କେବଳ ନିଜ ଦେଶର ସ୍ୱାର୍ଥ ରକ୍ଷା କରିବା ଦିଗରେ କାମ କରୁଛନ୍ତି। ସେଥିପାଇଁ ଆମେରିକା ପକ୍ଷରୁ ଅନ୍ୟ ଦେଶଗୁଡ଼ିକର ଲୋକପ୍ରିୟ ସାମଗ୍ରୀଗୁଡ଼ିକ ଉପରେ ଚଢ଼ା ଦରର ଟିକସ ଲାଗୁ କରାଯାଉଛି। ଆମେରିକାର ଚାପ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା କରିବା ପାଇଁ ଏସୀୟ ରାଷ୍ଟ୍ରଗୁଡ଼ିକ ଏକଜୁଟ୍‌ ହେଉଛନ୍ତି।
୧୯୭୫ ମସିହାରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତାହାକୁ ଏସିଆ ପାସିଫିକ୍‌ ବାଣିଜ୍ୟ ଚୁକ୍ତି (ଆପ୍‌ଟା) କୁହାଯାଉଛି। ସେହିଦିନଠାରୁ ଏହି ଚୁକ୍ତିରେ ବିଶେଷ କିଛି ଅଗ୍ରଗତି ହୋଇନଥିଲା। ମାତ୍ର ଗତବର୍ଷ ଜାନୁଆରିରେ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରଷ୍ପର ସାମଗ୍ରୀ ଉପରେ ଟିକସ କମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁଲାଇ ପହିଲାରୁ ଟିକସ କମାଇବା ଚୁକ୍ତି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଚୀନ୍‌ ପରସ୍ପର ସାମଗ୍ରୀ ଉପରୁ ଟିକସ କମ୍‌ କରିଛନ୍ତି।
ଆମେରିକା ବିରୋଧରେ ଏସୀୟ ଦେଶଗୁଡ଼ିକ ଏକଜୁଟ ହେଉଥିବା ଏକ ଶୁଭ ସଙ୍କେତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏବେବି ଅନେକ ଜଟିଳ ସମସ୍ୟା ରହିଛି ବୋଲି ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ ଧର୍‌ କହିଛନ୍ତି। ସେସବୁ ସମସ୍ୟାର ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର