ଭାରତରେ ଖାଇବା ତେଲ ସଂକଟ ଦେଖାଯାଇପାରେ ; ଇଣ୍ଡୋନେସିଆ ସରକାରଙ୍କୁ ମନାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କଲା ଶିଳ୍ପସଂଘ

ନୂଆଦିଲ୍ଲୀ : ପାମ୍ ଅଏଲ ( ତାଳତେଲ) ରପ୍ତାନି ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ସମଗ୍ର ବିଶ୍ବରେ ଖାଇବା ତେଲର ମୂଲ୍ୟ ବଢିବାର ଆଶଙ୍କା ରହିଛି । ଆମଦାନୀକାରୀ ଦେଶମାନେ ଏବେ ବିକଳ୍ପ ଉତ୍ସ ଭାବେ ମାଲେସିଆକୁ ଦେଖୁଛନ୍ତି । କିନ୍ତୁ ମାଲେସିଆ ଏକୁଟିଆ ଇଣ୍ଡୋନେସିଆ ପକ୍ଷରୁ ଲାଗୁ କଟକଣା ଯୋଗୁଁ ସୃଷ୍ଟି ହୋଇଥିବା ଅଭାବ ପୂରଣ କରିବାକୁ ସକ୍ଷମ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏଣୁ ଇଣ୍ଡୋନେସିଆ ନିଜ ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଆମଦାନୀକାରୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଇଣ୍ଡୋନେସିଆ ସରକାରଙ୍କ ସହ ଭାରତ ସରକାର ସିଧାସଳଖ ଆଲୋଚନା କରନ୍ତୁ ବୋଲି ଭାରତରେ ଖାଇବା ତେଲ ଶିଳ୍ପର ଜାତୀୟ ସଂଘ ସୋଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ଏହି ସମସ୍ୟାର ସମାଧାନ ନହେଲେ ଖାଇବା ତେଲର ସଂକଟ ସୃଷ୍ଟି ହେବା ସହ ଦରବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୮ରୁ ପାମ ଅଏଲ ରପ୍ତାନି ଉପରେ ଇଣ୍ଡୋନେସିଆର କଟକଣା ଲାଗୁହେବ । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ଭାରତ ସମେତ ବିଶ୍ବରେ ପାମ ଅଏଲ ବା ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ରହିଛି । କାରଣ ବିଶ୍ବ ପାମ ଅଏଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରିଥାଏ । କିନ୍ତୁ କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା ।

 

ସମ୍ବନ୍ଧିତ ଖବର