ଇନ୍ଦରମିତ୍ ଗିଲ୍ ବିଶ୍ବବ୍ୟାଙ୍କର ନୂଆ ମୁଖ୍ୟ ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତୀୟ ନାଗରିକ ଇନ୍ଦରମିତ୍‌ ଗିଲ୍‌ଙ୍କୁ ବିକାଶ ଅର୍ଥନୀତିର ମୁଖ୍ୟ ଅର୍ଥନୀତିଜ୍ଞ ଓ ଉପ ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେପ୍ଟେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଦିଲ୍ଲୀ ସ୍କୁଲ ଅଫ୍ ଇକୋନମିକ୍ସ ଓ ଚିକାଗୋ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ଗିଲ୍‌ ଏବେ ବିଶ୍ବବ୍ୟାଙ୍କର ଉପସଭାପତି ଭାବେ କାମ କରୁଛନ୍ତି। ତାଙ୍କ ସମ୍ପର୍କରେ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ୍‌ ମାଲ୍‌ପାସ୍ କହିଛନ୍ତି ଯେ ଅସମାନତା, ଅଭିବୃଦ୍ଧି, ଦାରିଦ୍ର୍ୟ, ବିବାଦ ଓ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ ବିଭିନ୍ନ ଦେଶର ସରକାରଙ୍କ ସହ କାମ କରିବେ। କୌସିକ ବସୁଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ବିଶ୍ବବ୍ୟାଙ୍କରେ ଗିଲ୍‌ ନିଯୁକ୍ତି ପାଇଛନ୍ତି। ଶ୍ରୀ ବସୁ ୨୦୧୨-୨୦୧୬ ପର୍ଯ୍ୟନ୍ତ ଏହି ପଦରେ କାମ କରିଥିଲେ। ଅନ୍ୟ ଦୁଇ ଭାରତୀୟ ରଘୁରାମ ରାଜନ ଓ ଗୀତା ଗୋପୀନାଥ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାମ କରିଛନ୍ତି।

ସମ୍ବନ୍ଧିତ ଖବର