ଇନ୍ଦ୍ରା ନୁୟି: ବିଶ୍ୱ କର୍ପୋରେଟ୍‌ ଗଡ଼ ବିଜୟିନୀ

ନ୍ୟୁୟର୍କ: ବିଶ୍ୱର କ୍ଷମତାଶାଳୀ ମହିଳା ସିଇଓଙ୍କ ବିଷୟରେ ଚିନ୍ତା କଲେ ଯେଉଁ ନାମଟିି ସର୍ବପ୍ରଥମେ ଲୋକଙ୍କ ମନକୁ ଆସିଯାଏ ତାହା ହେଉଛି ଇନ୍ଦ୍ରା ନୁୟି। ପେପ୍‌ସିକୋରେ ଦୀର୍ଘ ୧୨ ବର୍ଷ ସିଇଓ ଭାବେ କାମ କରିବା ପରେ ସେ ଅକ୍ଟୋବର ମାସରେ ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି। ଚେନ୍ନାଇର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ଗ୍ରହଣ କରିବା ଠାରୁ ଆରମ୍ଭ କରି ପେପ୍‌ସିକୋ ଭଳି ଏକ ବିଶ୍ୱ ସ୍ତରୀୟ କଂପାନିର ନେତୃତ୍ୱ ନେବା ପର୍ଯ୍ୟନ୍ତ ନୁୟିଙ୍କ ଜୀବନ କାହାଣୀ କୌଣସି ରୋମାଂଚକ ସିନେମାର କାହାଣୀଠାରୁ କମ୍‌ ନୁହେଁ। ସେ ଥିଲେ ବିଶ୍ୱ କର୍ପୋରେଟ୍‌ ଗଡ଼ ବିଜୟିନୀ।

ପେପ୍‌ସିକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ନେତୃତ୍ୱରେ ପେପ୍‌ସି ମୃଦୁ ପାନୀୟ ବ୍ୟତୀତ ଆହୁରି ଅନେକ ପ୍ରକାର ଚିପ୍‌ସ ଓ ସୋଡ଼ା ଆଦି ବଜାରକୁ ଆଣିଥିଲା ଯାହାକୁ ଗ୍ରାହକମାନେ ବହୁତ ପସନ୍ଦ କରିଥିଲେ। ପେପ୍‌ସି ପାଇଁ ପ୍ରତି ବର୍ଷ ସେ ଗୋଟିଏ ଲେଖାଏଁ ବିଲିଅନ୍‌ ଡଲାର ବ୍ରାଣ୍ଡ୍‌ ପ୍ରସ୍ତୁତ କରୁଥିଲେ। ତାଙ୍କ ଅମଳରେ କଂପାନିର ରାଜସ୍ୱ ପରିମାଣ ୮୦% ବଢ଼ିଥିବା ବେଳେ ନିବେଶକମାନେ ନିଜ ପୁଞ୍ଜିନିବେଶ ଉପରେ ଅଢ଼େଇ ଗୁଣାରୁ ଅଧିକ ରିଟର୍ଣ୍ଣ ପାଇଛନ୍ତି।

ସର୍ବାଧିକ ଦରମା ପାଉଥିବା ମହିଳା ସିଇଓ ଭାବେ ତାଙ୍କ ନାମ ଶୀର୍ଷ ସ୍ଥାନରେ ଥିଲା। ସେ ଫର୍ଚୁନ୍‌ ପତ୍ରିକା ପକ୍ଷରୁ ପ୍ରସ୍ତୁତ ‘ବ୍ୟବସାୟରେ ସବୁଠୁ କ୍ଷମତାଶାଳୀ ମହିଳା’ ତାଲିକାର ଦୁଇ ନମ୍ବର ସ୍ଥାନରେ ଥିଲେ। ଅତୀତରେ ଏକ ସାକ୍ଷାତକାର ଅବସରରେ ନୁୟି କହିଥିଲେ ଯେ, ଏକ ରକ୍ଷଣଶୀଳ ପରିବାରରେ ମୋର ଜନ୍ମ ହୋଇଥିଲା। ସେହି ସମୟରେ ସେଠାକାର ସବୁ ମାଆ ମାନଙ୍କ ସ୍ୱପ୍ନ ଥିଲା ୧୮ ବର୍ଷ ହେବା ମାତ୍ରେ ଝିଅକୁ ବାହାଘର କରିବା। ଅତିବେଶିରେ ୨୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ସେଭଳି ଏକ ସ୍ଥାନରୁ ଆସି ନୁୟି ବିଶ୍ୱ ବିଜୟିନୀ ହୋଇଛନ୍ତି।

୧୯୫୫ ମସିହା ଅକ୍ଟୋବର ୨୮ରେ ଜନ୍ମ ଗ୍ରହଣ କରିଥିବା ନୁୟିଙ୍କ ପ୍ରକୃତ ନାମ ହେଉଛି ଇନ୍ଦ୍ରା କ୍ରିଷ୍ଣମୂର୍ତି ନୁୟି। ଚେନ୍ନାଇ (ପୂର୍ବ ନାମ ମାଡ୍ରାସ ଥିଲା)ର ହୋଲି ଆଞ୍ଜେଲସ୍‌ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ ହାୟର ସେକେଣ୍ଡାରି ସ୍କୁଲ୍‌ରୁ ପାଠପଢ଼ା ଶେଷ କରିବା ପରେ ସେ ମାଡ୍ରାସ ଖ୍ରିଷ୍ଟିଆନ୍‌ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୭୬ ମସିହାରେ ସେ ଆଇଆଇଏମ୍‌-କଲିକତାରୁ ମ୍ୟାନେଜମେଣ୍ଟ୍‌ ଶିକ୍ଷା ଶେଷ କରିଥିଲେ। ଏହାପରେ ୟାଲେ ବିଶ୍ୱବିଦ୍ୟାଳୟରେ ପୁଣି ମ୍ୟାନେଜମେଣ୍ଟ୍‌ ପାଠପଢ଼ିଥିଲେ। ୧୯୮୦ ମସିହାରେ ନିଜର ଶିକ୍ଷା ଶେଷ କରିବା ପରେ ସେ ବୋଷ୍ଟନ କନ୍‌ସଲ୍‌ଟିଂ ଗ୍ରୁପ୍‌ରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୪ରେ ପେପ୍‌ସିକୋରେ ଯୋଗ ଦେବା ପୂର୍ବରୁ ସେ ମୋଟୋରୋଲା ପାଇଁ ମଧ୍ୟ କାମ କରିଥିଲେ।

୨୦୦୧ ମସିହାରେ ତାଙ୍କୁ ପେପ୍‌ସିକୋର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ପଦରୁ ପଦୋନ୍ନତି ଦିଆଯାଇଥିଲା। ୨୦୦୬ରେ ତାଙ୍କୁ ସିଇଓ ପଦ ପ୍ରଦାନ କରାଗଲା।ପେପ୍‌ସିର ୫୩ ବର୍ଷର ଇତିହାସ ଭିତରେ ନୁୟି ଥିଲେ ପ୍ରଥମ ବିଦେଶୀ ଓ ପ୍ରଥମ ମହିଳା ସିଇଓ। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ତାଙ୍କୁ ପ୍ରଥମ ସ୍ୱାଧୀନ ମହିଳା ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଏବେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି ଓ କନେକ୍ଟିକଟ୍‌ରେ ବସବାସ କରୁଛନ୍ତି। ସର୍ବାଧିକ ଦରମା ପାଉଥିବା କିଛି ହାତ ଗଣତି ସିଇଓଙ୍କ ତାଲିକାରେ ସବୁବେଳେ ତାଙ୍କ ନାମ ରହୁଥିଲା।

ଉଲ୍ଲେଖଯୋଗ୍ୟ, ନିକଟରେ ବହୁ ବଡ଼ ବଡ଼ ବିଶ୍ୱ ସ୍ତରୀୟ କଂପାନିରୁ ମହିଳା ସିଇଓମାନେ ବିଦାୟ ନେଇଛନ୍ତି। ଡେନିସ୍‌ ମାରିସନ୍‌ର କ୍ୟାମ୍ବେଲ୍‌ ସୁପସ୍‌, ଏଚ୍‌ପିର ମେଗ୍‌ ହ୍ଵିଟ୍‌ମ୍ୟାନ୍‌ ଓ ମୋଣ୍ଡେଲେଜ୍‌ର ଇରେନି ରୋସେନ୍‌ଫେଲ୍ଡ ଇସ୍ତଫା ପ୍ରଦାନ କରିଥିଲେ। ସେହି ତାଲିକାରେ ନୁୟିଙ୍କ ନାମ ଯୋଡ଼ି ହୋଇଛି।

ସମ୍ବନ୍ଧିତ ଖବର