ନୂଆଦିଲ୍ଲୀ: ଶିଳ୍ପ ଆଲ୍‌କୋହଲ୍‌ର ଉତ୍ପାଦନ, ନିର୍ମାଣ ଓ ଯୋଗାଣକୁ ନିୟନ୍ତ୍ରଣ କରିବାର କ୍ଷମତା ରାଜ୍ୟମାନଙ୍କ ଅଧୀନରେ ରହିବ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୯ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ୮:୧ ସଂଖ୍ୟାଗରିଷ୍ଠତା ଆଧାରରେ ଏହି ରାୟ ପ୍ରକାଶ କରିଛନ୍ତି। କେବଳ ଜଷ୍ଟିସ୍‌ ବି ଭି ନାଗରତ୍ନା ରା‌ୟରେ ଅସହମତି ପ୍ରକାଶ କରିଥିଲେ। ଶିଳ୍ପ ଆଲ୍‌କୋହଲ୍‌ ଉପରେ ଟିକସ ଲଗାଇବାର ଅଧିକାର ରାଜ୍ୟମାନଙ୍କ ପାଖରେ ରହିଛି ବୋଲି ସମ୍ବୀଧାନ ପୀଠ ସ୍ପଷ୍ଟ କରିଛନ୍ତି। ସେମାନଙ୍କଠାରୁ ଏହି କ୍ଷମତାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ମାନବ ବ୍ୟବହାର ଲାଗି ଅନୁପଯୋଗୀ ତଥା ଶିଳ୍ପରେ ବ୍ୟବହାର ହେଉଥିବା ଆଲ୍‌କୋହଲ୍‌କୁ ନିୟନ୍ତ୍ରଣ କରିବାର ସ୍ବତନ୍ତ୍ର କ୍ଷମତା ନେଇ କେନ୍ଦ୍ର ଯେଉଁ ଦାବି କରିଥିଲା ତାହାକୁ ସମ୍ବିଧାନ ପୀଠ ଖାରଜ କରିଛନ୍ତି।

Advertisment

ଟିକସ ଲଗାଇପାରିବେ: ସୁପ୍ରିମ୍‌କୋର୍ଟ

ଶିଳ୍ପ ମଦ ଉପରେ କେନ୍ଦ୍ରର ସ୍ବତନ୍ତ୍ର ଅଧିକାର ରହିଥିବା ନେଇ ୧୯୯୭ରେ ଏକ ସାତ ଜଣିଆ ସମ୍ବିଧାନ ପୀଠ ରାୟ ଶୁଣାଇଥିଲେ। ୨୦୧୦ରେ ସେହି ମାମଲାକୁ ୯ ଜଣିଆ ସମ୍ବିଧାନ ପୀଠକୁ ପଠାଯାଇଥିଲା। ଚଳିତ ବର୍ଷ ଏପ୍ରିଲ୍‌ରେ ଏହି ମାମଲା ଉପରେ ଲଗାତାର ଛଅ ଦିନ ଶୁଣାଣି ହୋଇଥିଲା। ଏହାପରେ ରାୟ ସଂରକ୍ଷୀତ ରଖାଯାଇଥିଲା। ଶିଳ୍ପ ଆଲ୍‌କୋହଲ୍‌ ହେଉଛି ଇଥାନଲ୍‌ର ଅଶୋଧିତ ରୂପ। ସଲ୍‌ଭେଣ୍ଟ ଭାବେ ଏହାକୁ ବ୍ୟବହାର କରାଯାଇଥାଏ। ଏହି ଆଲ୍‌କୋହଲ୍‌ ବିଶାକ୍ତ ହୋଇଥିବା ବେଳେ ମାନବ ବ୍ୟବହାର ଲାଗି ଅନୁପଯୋଗୀ। ସେଥିରେ ଉଚ୍ଚମାତ୍ରାର ମିଥାନଲ୍‌ ରହିଥାଏ। ଏହାକୁ ବିଶେଷ କରି ଔଷଧ, କୀଟନାଶକ, ରସାୟନ ଓ ଜୈବ ଇନ୍ଧନ ଶିଳ୍ପରେ ବ୍ୟବହାର କରାଯାଇଥାଏ।  

ଶିଳ୍ପ ଆଲ୍‌କୋହଲ୍‌କୁ ନିୟନ୍ତ୍ରଣ କରିବାର ଅଧିକାର ରାଜ୍ୟମାନଙ୍କ ପାଖରେ ରହିଛି ନା ନାହିଁ ତାହା ସ୍ପଷ୍ଟ କରିବା ଲାଗି ଏହି ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। କେନ୍ଦ୍ର ସରକାର ଯୁକ୍ତି କରିଥିଲେ ଯେ ପାନୀୟ ଯୋଗ୍ୟ ହୋଇନଥିବାରୁ ଷ୍ଟେଟ୍‌ ଲିଷ୍ଟ୍‌ର ଏଣ୍ଟ୍ରି ୮ ସହିତ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ଆବେଦନକାରୀ ରାଜ୍ୟମାନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ କେନ୍ଦ୍ର ପାଖରେ କ୍ଷମତା ରହିଲେ ବେଆଇନ ମଦ କାରବାର ରୋକିବା କଷ୍ଟକର ହୋଇପଡ଼ିବ।