ମାନ୍ଦାବସ୍ଥା ପ୍ରଭାବ: ଶିଳ୍ପ ଉତ୍ପାଦନ ଆହୁରି କମିଲା, ୮ ବର୍ଷରେ ସବୁଠୁ କମ୍

ବିଦ୍ୟୁତ ଉତ୍ପାଦନ ନୈରାଶ୍ୟଜନକ, ବିଦ୍ୟୁତ ଚାହିଦାରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବରରେ ଶିଳ୍ପ କାରଖାନାରେ ହେଉଥିବା ଉତ୍ପାଦନରେ ୪.୩ ପ୍ରତିଶତ ହ୍ରାସ ଘଟିଛି। ମାନୁଫାକଚରିଂ, ଖଣି ଓ ବିଦ୍ୟୁତ କ୍ଷେତ୍ର ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି। ବିଗତ ଆଠ ବର୍ଷ ଭିତରେ ଶିଳ୍ପ ଉତ୍ପାଦନର ଏହା ସବୁଠୁ ଖରାପ ସ୍ଥିତି ବୋଲି କୁହାଯାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଶିଳ୍ପ ଉତ୍ପାଦନକୁ ଶେଷ ଥର ଲାଗି ୨୦୧୨ ଏପ୍ରିଲ୍‌ରେ ଏଭଳି ଖରାପ ସ୍ଥିତିରେ ଦେଖିବାକୁ ମିଳିଥିଲା। ଗତ ଅଗଷ୍ଟରେ ମଧ୍ୟ ଶିଳ୍ପ କାରଖାନାଗୁଡ଼ିକରେ ଉତ୍ପାଦନ କମିଥିଲା। କ୍ରମାଗତ ଦ୍ବିତୀୟ ମାସରେ ଉତ୍ପାଦନ କମ୍ ହୋଇଥିବାରୁ ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମାନୁଫାକଚରିଂ କ୍ଷେତ୍ରରେ ମାନ୍ଦାବସ୍ଥା ଜଳଜଳ ଦେଖାଯୋଉଛି। ଏହି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ହ୍ରାସ ପାଇଛି। ବିଦ୍ୟୁତ ଉତ୍ପାଦନ ମଧ୍ୟ ୨.୬ ପ୍ରତିଶତ କମିଛି। ଖଣିରେ ଉତ୍ପାଦନ ୮.୫ ପ୍ରତିଶତ ହ୍ରାସ ପାଇଛି। ପୁଞ୍ଜିନିବେଶର ମାପକାଠି ଭାବେ ଗଣା ହେଉଥିବା କ୍ୟାପିଟାଲ୍ ଗୁଡସ୍‌ ଉତ୍ପାଦନ ୨୦.୭ ପ୍ରତିଶତ କମିଯାଇଛି। ପ୍ରାଇମେରି ଗୁଡସ୍‌ (ପ୍ରାଥମିକ ସାମଗ୍ରୀ) ଉତ୍ପାଦନ ୫.୧ ପ୍ରତିଶତ, ଇଣ୍ଟରମେଡିଏଟ୍‌ ଗୁଡସ୍‌ (ମାଧ୍ୟମିକ ସାମଗ୍ରୀ) ୭ ପ୍ରତିଶତ ଓ ଭିତ୍ତିଭୂମି/ନିର୍ମାଣ ସାମଗ୍ରୀ ଉତ୍ପାଦନ ୬.୪ ପ୍ରତିଶତ ହ୍ରାସ ପାଇଛି। ଟିଭି, ଫ୍ରିଜ୍ ଭଳି କଞ୍ଜ୍ୟୁମର ଡ୍ୟୁରେବଲ୍ ଗୁଡସ୍‌ ଉତ୍ପାଦନ
୯.୯ ପ୍ରତିଶତ କମିଥିବା ବେଳେ କଞ୍ଜ୍ୟୁମର ନନ୍‌-ଡ୍ୟୁରେବଲ୍ ଗୁଡସ୍‌ର ଉତ୍ପାଦନ ୦.୪% ହ୍ରାସ ପାଇଛି। ଦେଶରେ ଥିବା ପ୍ରମୁଖ ୨୩ ପ୍ରକାର ଶିଳ୍ପ କ୍ଷେତ୍ର ମଧ୍ୟରୁ ୧୭ଟି କ୍ଷେତ୍ରର ଉତ୍ପାଦନ କମିଛି। ମାନୁଫାକ୍‌ଚରିଂ କ୍ଷେତ୍ରର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ମୋଟର ଯାନ, ଟ୍ରେଲର ଓ ସେମି-ଟ୍ରେଲର ଉତ୍ପାଦନରେ ସର୍ବାଧିକ ୨୪.୮ ପ୍ରତିଶତର ହ୍ରାସ ଘଟିଛି। ଆସବାବପତ୍ର ଉତ୍ପାଦନ ୨୩.୬ ପ୍ରତିଶତ କମିଥିବା ବେଳେ ଫେବ୍ରିକେଟେଡ୍‌ ଧାତୁ ଉତ୍ପାଦର ଉତ୍ପାଦନ ୨୨ ପ୍ରତିଶତ କମିଛି। କାଠ ଓ ସେଥିରୁ ତିଆରି ହେଉଥିବା ଉତ୍ପାଦରେ ସର୍ବାଧିକ ୧୫.୫ ପ୍ରତିଶତର ବୃଦ୍ଧି ଘଟିଥିବା ବେଳେ ମୌଳିକ ଧାତୁ ଉତ୍ପାଦନରେ ୯.୨ ପ୍ରତିଶତ ବୃଦ୍ଧି ଘଟିଛି।

ବିଦ୍ୟୁତ ଚାହିଦାରେ ବଡ଼ ଧରଣର ହ୍ରାସ
ନୂଆଦିଲ୍ଲୀ: ଗତ ଅକ୍ଟୋବର ମାସରେ ଦେଶର ବିଦ୍ୟୁତ ଚାହିଦାରେ ୧୩.୨ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ଘଟିଛି। ବିଗତ ୧୨ ବର୍ଷ ଭିତରେ ମାସିକ ବିଦ୍ୟୁତ ଚାହିଦାରେ ଏଭଳି ହ୍ରାସ ଦେଖିବାକୁ ମିଳିନଥିଲା। ଏହାକୁ ମାନ୍ଦାବସ୍ଥାର ଅନ୍ୟତମ ସଙ୍କେତ ଭାବେ ବିଚାର କରାଯାଉଛି। ୨୦୨୪ ସୁଦ୍ଧା ପାଞ୍ଚ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଅର୍ଥନୀତି‌ ହେବାକୁ ଲକ୍ଷ୍ୟ ରଖିଥିବା ଭାରତ ଲାଗି ଏହା ଶୁଭ ଖବର ନୁହେଁ। ଏତେ ବଡ଼ ଅର୍ଥନୈତିକ ମହାଶକ୍ତି ହେବା ପ୍ରକ୍ରିୟାରେ ବିଦ୍ୟୁତ ଚାହିଦା ବଢ଼ିବା କଥା। କିନ୍ତୁ ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ଅଧିକ ଶିଳ୍ପ କାରଖାନା ଥିବା ମହାରାଷ୍ଟ୍ର ଓ ଗୁଜରାଟରେ ବିଦ୍ୟୁତ ଚାହିଦା ବହୁତ କମିଛି। ମହାରାଷ୍ଟ୍ରରେ ଚାହିଦାରେ ୨୨.୪ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଗୁଜରାଟରେ ୧୮.୮ ପ୍ରତିଶତ ହ୍ରାସ ଘଟିଛି। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ଜନବହୁଳ ରାଜ୍ୟରେ ମଧ୍ୟ ବିଦ୍ୟୁତ ଚାହିଦା ହ୍ରାସ ପାଇଛି।

ସମ୍ବନ୍ଧିତ ଖବର