ଜୁଲାଇରେ ଶିଳ୍ପ ଉତ୍ପାଦନ ୧୦.୪% ହ୍ରାସ

ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରଠାରୁ ଶିଳ୍ପ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଇତି ମଧ୍ୟରେ ଚାରି ମାସ ବିତି ଯାଇଥିଲେ ମଧ୍ୟ ଶିଳ୍ପ ଉତ୍ପାଦନ ମହାମାରୀ ପୂର୍ବ ଅବସ୍ଥାକୁ ଫେରିପାରୁନାହିଁ। ଆଜି ସରକାର ଜାରି କରିଥିବା ତଥ୍ୟ ଅନୁସାରେ ଗତ ଜୁଲାଇରେ ଶିଳ୍ପ ଉତ୍ପାଦନ ଗତବର୍ଷର ସେହି ମାସ ତୁଳନାରେ ୧୦.୪ ପ୍ରତିଶତ କମ୍ ରହିଛି। ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ ଯେ ଶିଳ୍ପ ଉତ୍ପାଦନ ଏହି ମାସ ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇବ। ମାତ୍ର ବାସ୍ତବ ସ୍ଥିତି ସେହି ଆକଳନ ଠାରୁ ଉନ୍ନତ ରହିଛି।

ଖଣି, ମାନୁଫାକ୍‌ଚରିଂ ଓ ବିଦ୍ୟୁତ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ରହିଥିବା କାରଖାନାଗୁଡ଼ିକର ଉତ୍ପାଦନର ହ୍ରାସ ଓ ବୃଦ୍ଧିକୁ ଜାଣିବା ଲାଗି ସରକାର ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ଜାରି କରୁଛନ୍ତି। ଗତ ଜୁଲାଇରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ୧୧.୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଖଣି ଉତ୍ପାଦନରେ ୧୩ ପ୍ରତିଶତ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ୨.୫ ପ୍ରତିଶତ ହ୍ରାସ ପାଇଛି। ତେବେ ରେଳ ପରିବହନ, ଶକ୍ତିର ବ୍ୟବହାର ଏବଂ ଟିକସ ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ତେଣୁ ଆଗାମୀ ଦିନରେ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ସରକାର ଯେଉଁ ଆଶା ଦେଖାଇଛନ୍ତି ତାହାକୁ ନେଇ କିଛିଟା ସମ୍ଭାବନା ସୃଷ୍ଟି ହୋଇଛି। ଯଦି କାରଖାନାର ଉତ୍ପାଦନ ପୂର୍ବ ସ୍ଥିତିକୁ ଫେରିନାହିଁ, ମାତ୍ର ସେଥିରେ ଯେଉଁ ଉଚ୍ଚ ହାରର ହ୍ରାସ ଘଟୁଥିଲା ତାହାର ମାତ୍ରା କମ୍ ହୋଇଛି। ଶିଳ୍ପ ଉତ୍ପାଦନରେ ଉନ୍ନତି ଅର୍ଥନୀତିରେ ହେଉଥିବା ସୁଧାରକୁ ଦର୍ଶାଉଥିବା ବେଳେ ସ୍ଥାନୀୟ ଲକ୍‌ଡାଉନ୍ ଓ ସରକାରଙ୍କ ତରଫରୁ ସୀମିତ ଆର୍ଥିକ ସହାୟତା ସୁଧାରର ଗତିକୁ ମନ୍ଥର ରଖିଛି ବୋଲି ବାର୍‌କ୍ଲେ ପକ୍ଷରୁ କୁହାଯାଇଛି। ଅଟୋମୋବାଇଲ୍‌ ଉତ୍ପାଦନରେ ଉନ୍ନତି ପରିଲକ୍ଷିତ ହୋଇଛି। ଉତ୍ସବ ଋତୁର ଚାହିଦା ପୂରଣ କରିବା ଲାଗି ଗାଡ଼ି କଂପାନିଗୁଡ଼ିକ ଚଳିତ ମାସ ଓ ଅକ୍ଟୋବର ମାସ ପାଇଁ ଅଧିକ ଗାଡ଼ି ଉତ୍ପାଦନ କରୁଛନ୍ତି। ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ସେହି ଅନୁସାରେ ସକ୍ରିୟ ‌େହବାରେ ଲାଗିଛି। କିନ୍ତୁ ଯେଉଁ ହାରରେ ଉତ୍ପାଦନ ବଢ଼ୁଛି, ସବୁ କିଛି ସ୍ବାଭାବିକ ହେବା ପାଇଁ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର