୭ଟି ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟିତ, ୧୦ର ଶିଳାନ୍ୟାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଶିଳ୍ପ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନା ଅନୁଷ୍ଠିତ ହୋଇଛି। ଏହି ସବୁ ପ୍ରକଳ୍ପରେ ୯୯୯.୯୯ କୋଟି ଟଙ୍କା ନିବେଶ କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ ଉତ୍ପାଦନ ଓ ସାର କ୍ଷେତ୍ରର ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୨୩୮୭ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ।

ମହାମାରୀ ସମୟରେ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଯେଉଁ ସାମାଜିକ ଦାୟିତ୍ବବୋଧ ପ୍ରଦର୍ଶନ କରିଥିଲେ ତାହାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଅନ୍ୟ ରାଜ୍ୟଙ୍କୁ ଜୀବନ ରକ୍ଷାକାରୀ ଅକ୍ସିଜେନ୍ ଯୋଗାଇବାରେ ଶିଳ୍ପ ସଂସ୍ଥାଗୁଡ଼ିକ ସାହାଯ୍ୟ କରିଥିଲେ ବୋଲି ସେ କହିଛନ୍ତି। ଓଡ଼ିଶାରେ ନିବେଶ ପାଇଁ ଆମେ ନିବେଶକଙ୍କ ପାଇଁ ସର୍ବଦା ସୁବିଧାଜନକ ଓ ସହଜ ବ୍ୟବସାୟ ଯୋଗ୍ୟ ପରିବେଶ ଯୋଗାଇ ଆସିଛୁ। କୋଭିଡ୍ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି ବୋଲି ସେ କହିଛନ୍ତି।

ଆଜି ହାଇ ଲ୍ୟାଣ୍ଡ୍ ଏଗ୍ରି, ଶ୍ରୀ ମଲାନି ଫୋମ୍ସ, ସ୍ପେସାଡି ରିସୋର୍ଟ, ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ୍, ମେହାନ୍ ଇଣ୍ଡଷ୍ଟ୍ରିଜ୍, ଆକ୍ଟା ଆଇଜ ଲ୍ୟାଣ୍ଡ୍‌ ଓ ପଦ୍ମାବତୀ ଆମ୍ୟୁଜମେଣ୍ଟ୍‌ ପାର୍କ ସ୍ଥାପନ କରିଥିବା ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଛନ୍ତି। ହାଇ ଲ୍ୟାଣ୍ଡ୍ ଏଗ୍ରି ପକ୍ଷରୁ ବାଲେଶ୍ବରର ଖନ୍ତାପଡ଼ାରେ ୫୩.୦୮ କୋଟି ଟଙ୍କା ବିନିଯୋଗରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଛି। ଖୋର୍ଦ୍ଧାର ଜୟମଙ୍ଗଳ ଠାରେ ଶ୍ରୀ ମଲାନି ଫୋମ୍ସ ପକ୍ଷରୁ ୧୩୫ କୋଟି ଟଙ୍କା ନିବେଶରେ ଏକ ପଲିୟୁରାଥେନ୍ ଫୋମ୍ ଉତ୍ପାଦନ କାରଖାନା ସ୍ଥାପନ କରାଯାଇଛି। ସ୍ପେସାଡି ରିସୋର୍ଟ ପକ୍ଷରୁ ଗୋପାଳପୁରରେ ୨୨.୯୬ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ସ୍ଥାପନ କରାଯାଇଛି। ‌ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୭.୬୧ କୋଟି ଟଙ୍କା ନିବେଶରେ ଏକ ପେପର ଓ ପ୍ୟାକେଜିଂ କେନ୍ଦ୍ର ସ୍ଥାପନ କରାଯାଇଛି। ଖୋର୍ଦ୍ଧାର ଛତାବର ଠାରେ ମେହାନ୍ ଇଣ୍ଡଷ୍ଟ୍ରିଜ୍ ୮.୮୨ କୋଟି ଟଙ୍କା ବିନିଯୋଗ କରି ଏକ ମାଟ୍ରେସ୍ ଓ ଫୋମ୍ ଉତ୍ପାଦନ କାରଖାନା ସ୍ଥାପନ କରିଛି। ବାଲେଶ୍ବରରେ ଏକ ଆମ୍ୟୁଜମେଣ୍ଟ୍ ପାର୍କ ସ୍ଥାପନ କରିବାରେ ପଦ୍ମାବତୀ ଆମ୍ୟୁଜମେଣ୍ଟ୍‌ ପାର୍କ ୫.୦୫ କୋଟି ଟଙ୍କା ନିବେଶ କରିଛି। ଆକ୍ଟା ଆଇଜଲ୍ୟାଣ୍ଡ୍‌ ପକ୍ଷରୁ ବରଗଡ଼ ଠାରେ ୪.୭୫ କୋଟି ଟଙ୍କା ବିନିଯୋଗରେ ଏକ ୱାଟର ପାର୍କ ନିର୍ମାଣ କରାଯାଇଛି।

ଆଜି ୧୦ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟ‌ରେ ରହିଛି ପାରାଦୀପରେ ୨୨୫ କୋଟି ଟଙ୍କା ବିନି‌ଯୋଗରେ ଇଫ୍‌କୋ ସ୍ଥାପନ କରିବାକୁ ଥିବା ଏକ କ୍ଷୁଦ୍ର ୟୁରିଆ କେନ୍ଦ୍ର। କୋଷ୍ଟାଲ୍ ବାୟୋଟେକ୍ ପକ୍ଷରୁ ଗଜପତିରେ ୨୦୦ କୋଟି ଟଙ୍କା ନିବେଶରେ ଏକ ଶସ୍ୟ ଭିତ୍ତିକ ମଦ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଯାଜପୁରର ହରିଦାସପୁରରେ ରାମ୍‌କୋ ସିମେଣ୍ଟ୍ ୧୯୦ କୋଟି ଟଙ୍କା ନିବେଶ କରି ଏହାର ଉତ୍ପାଦନ କ୍ଷମତା ବଢ଼ାଇବ। ସୁନ୍ଦରଗଡ଼ର କୁଆଁରମୁଣ୍ଡା ଠାରେ ଥିବା ସର୍ବେଶ ରିଫ୍ରାକ୍ଟରିଜ୍‌ର ସମ୍ପ୍ରସାରଣ ପାଇଁ ୧୨୩.୨୫ କୋଟି ଟଙ୍କା ବିନିଯୋଗ ହେବ। ଏଏସି ବ୍ଲକ୍ ଓ ସିମେଣ୍ଟ୍‌ ସାଣ୍ଡ୍‌ୱିଚ୍‌ ପ୍ୟାନେଲ୍ ଉତ୍ପାଦନ ପାଇଁ ୬୩.୨୫ କୋଟି ଟଙ୍କା ନିବେଶ ହେବ। ଶିବକ୍ଷେତ୍ର ଏଗ୍ରୋ ଇଣ୍ଡିଆ ପକ୍ଷରୁ ମୟୁରଭଞ୍ଜରେ ଏକ ଅଣ୍ଡା ସ୍ଫୁଟନ କେନ୍ଦ୍ର ସ୍ଥାପନ କରିବା ଲାଗି ୨୫.୭୭ କୋଟି ଟଙ୍କା ନିବେଶ କରାଯିବ। ପିପିପି ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଖୋର୍ଦ୍ଧାର ଚମ୍ପାଝରରେ ୨୫.୭୭ କୋଟି ଟଙ୍କା ନିବେଶ କରି ଏଲଏଲଡିପିଇ ଫ୍ଲାଟ୍‌ ଇଣ୍ଡ୍ରିପ୍ ଓ ଏଚ୍‌ଡିପିଇ ସ୍ପ୍ରିଙ୍କଲର ପାଇପ୍ ୟୁନିଟ୍ ସ୍ଥାପନ କରାଯିବ। ଜେନେସିସି୍ ସିଷ୍ଟେକ୍ ପକ୍ଷରୁ କଟକର ରାମଦାସପୁରରେ ୨.୫୫ କୋଟି ଟଙ୍କା ନିବେଶରେ ୟୁଭି ପ୍ରିଣ୍ଟିଂ ବୋର୍ଡ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ନିବେଦିତା ପଲିମର ପକ୍ଷରୁ ବାଲେଶ୍ବରର ସୋମନାଥପୁରରେ ପ୍ଲାଷ୍ଟିକ୍ ଦଉଡ଼ି ଉତ୍ପାଦନ କାରଖାନା ସ୍ଥାପନ କରିବା ଲାଗି ୨.୫୦ କୋଟି ଟଙ୍କା ନିବେଶ କରାଯିବ। ସେହି ଅଞ୍ଚଳରେ ଏକ ମେଡିକାଲ୍ ଓ ଇଣ୍ଡଷ୍ଟ୍ରିଆଲ୍ ଅକ୍ସିଜେନ୍ ୟୁନିଟ୍‌ ସ୍ଥାପନ କରିବା ଲାଗି ୧.୮୦ କୋଟି ଟଙ୍କା ବିନିଯୋଗ ହେବ।

ଆଜିର କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପ୍ରମୁଖ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ସଚିବ ଶିଳ୍ପ ହେମନ୍ତ ଶର୍ମା, ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍, ପ୍ରମୁଖ ସଚିବ ଏମଏସଏମଇ ସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ ଏବଂ ପୁରୁଷୋତ୍ତମ ମଲାନୀ, ଅଶୋକ ଅଗ୍ରୱାଲ ଓ ରବୀନ୍ଦ୍ର ଜେନା ଭଳି ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର