ନୂଆଦିଲ୍ଲୀ: ଅଗ୍ନିପଥ ସ୍କିମ୍‌କୁ ଦେଇ ସାରା ‌ଦେଶରେ ଚାଲିଥିବା ହିଂସାତ୍ମକ ବିରୋଧକୁ ନେଇ ଦେଶର ଶିଳ୍ପପତିମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ହାସଲ କରିବାକୁ ଥିବା ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ଏଭଳି ପ୍ରସ୍ତାବ ଦେବାରେ ଆଗରେ ରହିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା। ଆର୍‌ପିଜି ଗ୍ରୁପ୍‌ର ମୁଖ୍ୟ ହର୍ଷ ଗୋଏଙ୍କା, ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’, ଟିଭିଏସ୍‌ ମୋଟର କଂପାନିର ପରିଚାଳନା ନିର୍ଦେଶକ ସୁଦର୍ଶନ ବେଣୁ ଓ ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ସଙ୍ଗୀତା ରେଡ୍ଡି ମଧ୍ୟ ଅଗ୍ନିବୀରଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇଛନ୍ତି। ଫିକିର ଡିଜି ଅରୁଣ ଚାୱଲା, ସଭାପତି ସଞ୍ଜୀବ ମେହ୍‌ତା ୟ, ଆସୋଚାମ୍‌ର ଉପସଭାପତି ଅଜୟ ସିଂହ ଓ ଇନ୍‌ଫୋ ଏଜ୍‌ର ସହ-ପ୍ରତିଷ୍ଠାତା ସଞ୍ଜୀବ ବିଖଚନ୍ଦାନୀ ଅଗ୍ନିପଥ ସ୍କିମ୍‌କୁ ସ୍ବାଗତ କରିଛନ୍ତି। ଅଗ୍ନିପଥ ସ୍କିମ୍‌କୁ ସମର୍ଥନ କରୁଥିବା ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମହିନ୍ଦ୍ରା, ଗୋଏଙ୍କା, ସିଂହ ଓ ହେମ୍‌ତାଙ୍କ ମତକୁ ଏକତ୍ରୀତ କରି ଟୁଇଟ୍‌ କରିଛନ୍ତି। ଅଗ୍ନିପଥ ସ୍କିମ୍ ପ୍ରତି ଶିଳ୍ପ ଜଗତର ସମର୍ଥନ ଏହିଭଳି ‌ବୋଲି ସେ ଜଣାଇବାକୁ ଉଦ୍ୟମ କରିଛନ୍ତି।

Advertisment

ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ ଅଗ୍ନିପଥ ସ୍କିମ୍‌କୁ ନେଇ ହେଉଥିବା ହିଂସାକୁ ନେଇ ଅତ୍ୟନ୍ତ ଦୁଃଖିତ। ଗତବର୍ଷ ଯେତେବେଳେ ଏହି ସ୍କିମ୍‌ ବିଷୟରେ ଆଲୋଚନା ଆରମ୍ଭ ହୋଇଥିବା ‌ମୁଁ କହିଥିଲି ଯେ ଅଗ୍ନିବୀରମାନେ ଯେଉଁ ଶୃଙ୍ଖଳା ଓ ଦକ୍ଷତା ହାସଲ କରିବେ ତାହା ସେମାନଙ୍କୁ ନିଯୁକ୍ତି ସୁଯୋଗ ହାତେଇବାରେ ସହାୟକ ହେବ। ସେଭଳି ପ୍ରଶିକ୍ଷିତ ଓ ଦକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ ମହିନ୍ଦ୍ରା ଗ୍ରୁପ୍‌ ସ୍ବାଗତ କରୁଛି ବୋଲି ସେ କହିଛନ୍ତି। ମହିନ୍ଦ୍ରାଙ୍କ ଆର୍‌ପିଜି ଗ୍ରୁପ୍‌ର ମୁଖ୍ୟ ହର୍ଷ ଗୋଏଙ୍କା ମଧ୍ୟ ଅଗ୍ନିବୀରମାନଙ୍କୁ ତାଙ୍କ କଂପାନିରେ ନିଯୁକ୍ତି ଦେବେ ବୋଲି କହିଛନ୍ତି। ସେ ଏହା ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ ଏହି ଘୋଷଣାରେ ଅନ୍ୟ କର୍ପୋରେଟ୍ ସଂସ୍ଥାଗୁଡ଼ିକ ମଧ୍ୟ ଯୋଡ଼ିହେବେ ଓ ଆମ ଯୁବପିଢ଼ିଙ୍କ ଭବିଷ୍ୟତକୁ ନିଶ୍ଚିତ କରିବେ। ଟୁଇଟ୍‌ କରି ହର୍ଷ ଏହା ଜଣାଇଛନ୍ତି। ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି ଯେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସେନା ବାହିନୀ ଠାରୁ ଆଉ ଭଲ ସ୍ଥାନ କିଛି ହୋଇନପାରେ। ଅଗ୍ନିପଥ ସ୍କିମ୍ ଶୃଙ୍ଖଳିତ ପ୍ରତିଭା ସୃଷ୍ଟି କରିବ।

ଟାଟା ସନ୍ସର ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଏହି ସ୍କିମ୍‌ ଯୁବବର୍ଗଙ୍କୁ ପ୍ରତିରକ୍ଷା ବଳ ପାଇଁ କାମ କରିବାର ସୁଯୋଗ ଦେବା ସହ ଟାଟା ଗ୍ରୁପ୍ ସମେତ ଶିଳ୍ପ ଜଗତ ପାଇଁ ଶୃଙ୍ଖଳିତ ଓ ଦକ୍ଷ ଶ୍ରମ ଶକ୍ତି ମଧ୍ୟ ଉପଲବ୍ଧ କରାଇବ। କିରଣ ମଜୁମଦାର ସ’ ବିଶ୍ବାସ କହିଛନ୍ତି ଯେ ଶିଳ୍ପ ନିଯୁକ୍ତି ବଜାରରେ ଅଗ୍ନିବୀରମାନେ ନିଯୁକ୍ତି ପାଇବାରେ ଆଗରେ ରହିବେ ବୋଲି ମୋର ବିଶ୍ବାସ ଅଛି। ଟିଭିଏସ୍‌ର ସୁଦର୍ଶନ କହିଛନ୍ତି ଯେ ଅଗ୍ନିପଥ ସ୍କିମ୍ ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିବେ। ସଙ୍ଗୀତା ରେଡ୍ଡି କହିଛନ୍ତି ଯେ ଦକ୍ଷ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେବାରେ ଶିଳ୍ପ ଜଗତ ସହାୟକ ହେବ ବୋଲି ‌ମୋର ଆଶା ରହିଛି।