ମୁମ୍ବାଇ: କରୋନା ବିଶ୍ବ ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ-କେୟାରସ୍ ଫଣ୍ଡ୍ ଗଠନ କରିବା ପରେ ବିପୁଳ ପରିମାଣର ସହାୟତା ରାଶି ପ୍ରଦାନ କରିବାକୁ ଦେଶର ଶିଳ୍ପ ଜଗତ ଘୋଷଣା କରିଛି। ଗତକାଲି ଟାଟା ଗ୍ରୁପ୍ ତରଫରୁ ମୋଟ ୧୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଟାଟା ଟ୍ରଷ୍ଟସ୍ ତରଫରୁ ୫୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଟାଟା ସନ୍ସ ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଏହାର ପରିଚାଳନା ନିର୍ଦେଶକ ଉଦୟ କୋଟାକ୍ ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍କୁ ୫୦ କୋଟି ଟଙ୍କା ଦେଇଛନ୍ତି। କୋଟାକ୍ ବ୍ୟାଙ୍କ ୨୫ କୋଟି ଟଙ୍କା ଦେଇଥିବା ବେଳେ ଉଦୟ ବଳକା ୨୫ କୋଟି ଟଙ୍କା ଦେଇଛନ୍ତି। ଆଦାନି ଫାଉଣ୍ଡେସନ ପକ୍ଷରୁ ୧୦୦ କୋଟି ଟଙ୍କା ପିଏମ୍ କେୟାରସ୍ ଫଣ୍ଡ୍କୁ ପ୍ରଦାନ କରାଯିବ ବୋଲି ଆଦାନି ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନି କହିଛନ୍ତି। ଏହା ବ୍ୟତୀତ ସରକାର ଓ ସର୍ବସାଧାରଣଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ସେ ନିଜର ପ୍ରତିବଦ୍ଧତା ଜଣାଇଛନ୍ତି। ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍ଡବ୍ଲୁ ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍କୁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କଂପାନିର କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ଏହି ପାଣ୍ଠିକୁ ଦାନ କରିବେ। ଏହା ବ୍ୟତୀତ କଂପାନି ତରଫରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବିଭିନ୍ନ ପ୍ରକାର ଉପକରଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଭେଣ୍ଟିଲେଟର୍, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ, ଗ୍ଲୋଭସ୍ ଆଦି କିଣିବା ଲାଗି କଂପାନି ପକ୍ଷରୁ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇଛି। ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଯଥା ସମ୍ଭବ ସହାୟତା ସରକାରଙ୍କୁ ପ୍ରଦାନ କରିବାକୁ ଚାହୁଛୁ ବୋଲି କଂପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି।
ଅନ୍ଲାଇନ୍ରେ ପେମେଣ୍ଟ୍ ସୁବିଧା ପ୍ରଦାନ କରୁଥିବା ଦେଶର ଅଗ୍ରଣୀ ସଂସ୍ଥା ପେଟିଏମ୍ ତରଫରୁ ୫୦୦ କୋଟି ଟଙ୍କା ସହାୟତା ଦେବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରାଯାଇଛି। କଂପାନି ଏଥିପାଇଁ ଏକ ଅଭିଯାନ ଆରମ୍ଭ କରିଛି ଓ ନିଜ ବ୍ୟବହାରକାରୀମାନଙ୍କୁ ଦାନ କରିବା ଲାଗି ଆହ୍ବାନ ଦେଇଛି। ପେଟିଏମ୍ର ମୁଖ୍ୟ ବିଜୟ ଶେଖର ଶର୍ମା କରୋନା ପାଇଁ ଔଷଧ ବିକଶିତ କରିବା କାର୍ଯ୍ୟ ଲାଗି ୫ କୋଟି ଟଙ୍କା ଦାନ କରିଥିଲେ। ସେହିପରି ଅନ୍ୟତମ ପେମେଣ୍ଟ୍ ସଂସ୍ଥା ଫୋନ୍ ପେ’ ପକ୍ଷରୁ ମଧ୍ୟ ୧୦୦ କୋଟି ଟଙ୍କା ଯୋଗାଡ଼ କରିବା ଲାଗି ଏକ ଅଭିଯାନ ଆରମ୍ଭ କରାଯାଇଛି। ଗୋଦ୍ରେଜ୍ ଗ୍ରୁପ୍ ତରଫରୁ ୫୦ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ କଂପାନି ମେଡିକାଲ୍ ଉପକରଣ ଯୋଗାଣ ଆରମ୍ଭ କରିଥିବା ମାସ୍କ ଓ ସାନିଟାଇଜର୍ ଯୋଗାଇ ଦେଉଛି। ଆଠଟି ରାଜ୍ୟରେ ଏହା ହାଣ୍ଡ୍ ୱାସ୍, ସାନିଟାଇଜର୍ ଓ ସାବୁନ ବଣ୍ଟନ କରୁଛି। ଏହି ସବୁ ସାମଗ୍ରୀର ଚାହିଦା ପୂରଣ କରିବା ଲାଗି କଂପାନି ତରଫରୁ ସାବୁନ ଓ ସାନିଟାଇଜର୍ର ଉତ୍ପାଦନ ବଢ଼ାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/fsh57sfh987sfh98sf7h98sf7h98sf4h65sfh465sfhsfhfhsfhshf.jpg)