ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧିକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଢ଼ାଇ ଦେଇଛନ୍ତି। ଏହି ଲକ୍ଡାଉନ୍ର ଅବଧି ବୃଦ୍ଧିକୁ ଭାରତୀୟ ଶିଳ୍ପ ଜଗତ ସ୍ବାଗତ କରିଛି। କିନ୍ତୁ କରୋନା ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଉଦ୍ୟୋଗ ଜଗତ ପାଇଁ ପ୍ୟାକେଜର ଆବଶ୍ୟକତା ରହିଛି ବୋଲି କହିଛି। ସମ୍ପ୍ରସାରିତ ଲକ୍ଡାଉନ୍କୁ କିଭଳି କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ବିସ୍ତୃତ ଉପଦେଶାବଳୀ ବୁଧବାର ଜାରି ହେବ। ତେବେ ଯେଉଁଠି କରୋନା ହଟ୍ସ୍ପଟ୍ ନାହିଁ ସେଠାରେ ଏପ୍ରିଲ ୨୦ ତାରିଖରେ ଲକ୍ଡାଉନ୍କୁ କିଛିଟା କୋହଳ କରାଯାଇ ପାରେ ବୋଲି ଆଶା ରଖାଯାଇଛି।
ଲକ୍ଡାଉନ୍ରେ ଗୁରୁତର ପ୍ରଭାବିତ ହୋଇଥିବା ସମାଜର ଦୁର୍ବଳ ଶ୍ରେଣୀର ଲୋକ ଏବଂ ସମାଜର ଆଗଧାଡ଼ିରେ ରହି କରୋନାର ମୁକାବିଲା ପାଇଁ ଯେଉଁମାନେ ଲଢ଼ୁଛନ୍ତି ସେମାନଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅର୍ଥମନ୍ତ୍ରୀ ଗତମାସରେ ଘୋଷଣା କରିଥିଲେ। ତେବେ ଆକଳନ ଅନୁଯାୟୀ ଜାତୀୟ ସ୍ତରରେ ଲକ୍ଡାଉନ୍ କାର୍ଯ୍ୟକାରୀ ହେବା ଫଳରେ ଭାରତକୁ ଦୈନିକ ପାଖାପାଖି ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ୨୧ ଦିନର ଲକ୍ଡାଉନ୍ରେ ଦେଶକୁ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଫିକି ସଭାପତି ସଂଗୀତା ରେଡ୍ଡୀ କହିଛନ୍ତି। ଏଥିସହିତ ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଦେଶରେ ୪ କୋଟି ଚାକିରି ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି। ତେଣୁ ତୁରନ୍ତ ରିଲିଫ ପ୍ୟାକେଜର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
ସେହିଭଳି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, କୋଭିଡ-୧୯ ଯେଉଁ ହାରରେ ବଢ଼ୁଛି ଲୋକଙ୍କ ଜୀବନ ପ୍ରତି ରହିଥିବା ବିପଦ ଯୋଗୁଁ ଲକ୍ଡାଉନ୍ ବୃଦ୍ଧିର ଆବଶ୍ୟକତା ରହିଛି। ଏପ୍ରିଲ ୨୦ ପରେ ଲକ୍ଡାଉନ୍କୁ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ନିର୍ଦ୍ଦେଶାବଳୀ ଦେଇଛନ୍ତି ତାହାଦ୍ବାରା ଉଦ୍ୟୋଗ ଜଗତକୁ ଯୋଜନା କରିବା ସହଜ ହେବ ବୋଲି ସେ କହିଛନ୍ତି। ଏହି ଅବଧିରେ କଳ କାରଖାନାରେ କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ୟୋଗ ଜଗତ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଆସୋଚାମ୍ର ମହାନିର୍ଦ୍ଦେଶକ ଦୀପକ ସୁଦ୍ କହିଛନ୍ତି, ପରିସ୍ଥିତି ଆହ୍ବାନପୂର୍ଣ୍ଣ ରହିଛି। ଉଦ୍ୟୋଗଜଗତ ଯଥାକଥା ପରିସ୍ଥିତିକୁ ସମ୍ଭାଳିଛି। କର୍ମଚାରୀଙ୍କୁ ଦରମା ଦେଉଛି ଏବଂ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିଛି। କିନ୍ତୁ ଆଗାମୀ ସପ୍ତାହରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିପାରେ। ତେଣୁ ସରକାରଙ୍କୁ ଅର୍ଥନୀତି ପାଇଁ ପ୍ରଭାବୀ ଏବଂ ବଡ଼ ପ୍ୟାକେଜ୍ ଘୋଷଣାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସୁଦ୍ କହିଛନ୍ତି। ଚଳିତ ଅର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ୫ ପ୍ରତିଶତରେ ରଖିବା ପାଇଁ ହେଲେ ଜିଡିପିର ୭ ପ୍ରତିଶତ ଆକାରର ପ୍ୟାକେଜ ଆବଶ୍ୟକ ରହିଛି ବୋଲି ପିଏଚ୍ଡି ଚାମ୍ବରର ସଭାପତି ଡି କେ ଅଗ୍ରୱାଲ କହିଛନ୍ତି।
ଆଇଟି ସଂଘ ନାସକମ୍ ପକ୍ଷରୁ କୁହାଯାଇଛି, ଉଭୟ ଜୀବନ ଓ ଜୀବିକାକୁ ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ। ତେଣୁ ଲକଡାଉନ୍ ଅବଧି ବଢ଼ାଯିବା ସହିତ ଅର୍ଥନୀତି ପାଇଁ ପ୍ୟାକେଜ୍ର ମଧ୍ୟ ଆବଶ୍ୟକତା ରହିଛି ବୋଲି ନାସ୍କମ୍ କହିଛି। ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଲକ୍ଡାଉନ୍ର ଅବଧି ବୃଦ୍ଧିକୁ ଏକ ଉତ୍ତମ ଭାବେ ପ୍ରସ୍ତୁତ ଯୋଜନାର ଆଖ୍ୟା ଦେଇଛନ୍ତି। ଏପ୍ରିଲ ୨୦ ପରେ ଧୀରେ ଧୀରେ ଏହାର ଲକ୍ଡାଉନ୍କୁ କୋହଳ କରାଯିବା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ଶ୍ରୀ ଜିନ୍ଦଲ ସ୍ବାଗତ କରିଛନ୍ତି।