ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ୍ ବ୍ୟାପିକା କାରଣରୁ ଦେଶର ବିଭିନ୍ନ ପ୍ରକାର ଶିଳ୍ପ ପ୍ରଭାବିତ ହୋଇଛନ୍ତି। ଚୀନରେ କଳକାରଖାନା ବନ୍ଦ ରହିବା କାରଣରୁ ଯୋଗାଣ ପ୍ରଭାବିତ ହୋଇଛି। ବିଶେଷକରି ଔଷଧ, ସୌର, ଇଲେକ୍ଟ୍ରୋନିକ୍ସ, ପ୍ଲାଷ୍ଟିକ ଏବଂ ରାସାୟନିକ ସାମଗ୍ରୀ ଆଦି ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ତେଣୁ କରୋନା ପ୍ରଭାବିତ ବିଭିନ୍ନ ଶିଳ୍ପ ପାଇଁ ଅର୍ଥମନ୍ତ୍ରାଳୟ ଖୁବ୍ଶୀଘ୍ର ଏକ ପଦକ୍ଷେପ ଘୋଷଣା କରିବ। ଭାରତୀୟ ଶିଳ୍ପକୁ କରୋନା ଭାଇରସ୍ଜନିତ ଅସୁବିଧାରୁ କିଭଳି ସୁରକ୍ଷା ଦିଆଯାଇ ପାରିବ ତାହାର ବ୍ୟବସ୍ଥା ଏଥିରେ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି। ଏଥିସହିତ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ବୁଧବାର ସେ ଏ ନେଇ ଆଲୋଚନା କରିବେ ଏବଂ ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭାଇରସ୍ ଯୋଗୁ ଦେଶରେ ମୂଲ୍ୟବୃଦ୍ଧି ଜନିତ ଚିନ୍ତା ନାହିଁ। ସେହିଭଳି ମେକ୍ ଇନ୍ ଇଣ୍ଡିଆ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଏବେଠାରୁ ଆକଳନ କରିବା ଖୁବ୍ ଆଗୁଆ ହୋଇଯିବ ବୋଲି ସେ କହିଛନ୍ତି। ତେବେ ଦେଶରେ ଔଷଧ କିମ୍ବା ଡାକ୍ତରୀ ଉପକରଣର କୌଣସି ଅଭାବ ନାହିଁ। ବରଂ ଫାର୍ମା ଶିଳ୍ପ ସାମଗ୍ରୀ ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ଉଠାଇବା ପାଇଁ ଦାବି କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: ଚୀନ୍ରେ କରୋନା ଭାଇରସ୍ ବ୍ୟାପିବା ଯୋଗୁ ସେଠାରେ କଳ କାରଖାନା ବନ୍ଦ ରହିଛି। ଏହାର ପ୍ରଭାବ କେବଳ ମୋବାଇଲ ଫୋନ୍ କିମ୍ବା ଇଲେକଟ୍ରୋନିକ୍ସ ସାମଗ୍ରୀ ବଜାରକୁ ପ୍ରଭାବିତ କରିବ ନାହିଁ ଏଲ୍ଇଡି ବଲ୍ବ ଶିଳ୍ପ ଉପରେ ମଧ୍ୟ ପଡ଼ିବ। ଏଥିଯୋଗୁ ଆସନ୍ତା ମାର୍ଚ୍ଚରୁ ଭାରତରେ ଏଲ୍ଇଡି ବଲ୍ବ ଦାମ ୧୦ ପ୍ରତିଶତ ମହଙ୍ଗା ହୋଇଯିବ ବୋଲି ଇଲେକ୍ଟ୍ରିକ୍ ଲ୍ୟାମ୍ପ ଆଣ୍ଡ୍ କମ୍ପୋନେଣ୍ଟ ମ୍ୟାନୁଫାକଚର୍ସ ଆସୋସିଏସନ୍ (ଇଏଲ୍ସିଓଏମ୍ଏ) ପକ୍ଷରୁ କୁହାଯାଇଛି। କଳକାରଖାନା ବନ୍ଦ ପାଇଁ ଏଲଇଡି ବଲ୍ବ ନିର୍ମାଣରେ ବ୍ୟବହୃତ ଉପକରଣର ଉତ୍ପାଦନ ବ୍ୟାହତ ହୋଇଛି। ଇଏଲ୍ସିଓଏମ୍ଏ ଉପସଭାପତି ସୁମିତ୍ ପଦ୍ମାକର ଯୋଶୀଙ୍କ କହିବାନୁଯାୟୀ, ଭାରତରେ ଏଲ୍ଇଡି ବଲ୍ବ ନିର୍ମାତାମାନେ ଚୀନରୁ ପ୍ରାୟ ୩୦ ପ୍ରତିଶତ ଉପକରଣ ଆମଦାନି କରିଥାନ୍ତି। ଏହି ଉପକରଣ ଗୁଡ଼ିକର ଯୋଗାଣ ଏବେ ପ୍ରଭାବିତ ହୋଇଛି। ଯୋଗାଣଜନିତ ଅସୁବିଧା ଥିବାରୁ ଏହାର ପ୍ରଭାବ ବଲ୍ବ ମୂଲ୍ୟ ଉପରେ ପଡ଼ିବ ବୋଲି ସେ ଆଶଙ୍କା କରୁଥିବା କହିଛନ୍ତି। ମୂଲ୍ୟ ଉପରେ ୮ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପଡ଼ିପାରେ ବୋଲି ସେ ଆକଳନ କରିଛନ୍ତି। ଅଧିକାଂଶ କମ୍ପାନିଙ୍କ ନିକଟରେ ଚଳିତମାସ ଶେଷ ପର୍ଯ୍ୟନ୍ତ ସାମଗ୍ରୀ ମହଜୁଦ ରହିଛି। ମାର୍ଚ୍ଚଠାରୁ ବଜାରରେ ବର୍ଦ୍ଧିତ ଦରରେ ଉତ୍ପାଦ ଉପଲବ୍ଧ ହୋଇପାରେ ବୋଲି ସେ କହିଛନ୍ତି। ଦେଶରେ ଏଲଇଡି ବଲ୍ବ ନିର୍ମାତା ମାନେ ଚୀନ୍ ପରିବର୍ତ୍ତେ ତାଇୱାନ, ହଂକଂ ଏବଂ ଦକ୍ଷିଣ କୋରିଆ ଭଳି ସ୍ଥାନରୁ ଉପକରଣ ସଂଗ୍ରହ ପାଇଁ ଯୋଜନା ମଧ୍ୟ ଚଳାଇଥିବା ସେ ସୂଚନା ଦେଇଛନ୍ତି। ତେବେ ଚୀନରେ କାରଖାନାରୁ ଉତ୍ପାଦନ ସ୍ବାଭାବିକ ହେଲେ ୪ରୁ ୫ ମାସ ପରେ ଭାରତରେ ଦର ପୂର୍ବସ୍ତରକୁ ଆସିବ ବୋଲି ଅନୁମାନ କରାଯାଉଛି।