ଶିଳ୍ପ ପାର୍କ ରେଟିଂ ସିଷ୍ଟମ୍ ରିପୋର୍ଟ: ଆସ୍ପାୟାରର୍ସ ବର୍ଗରେ ରାଜ୍ୟର ୨୪ ପାର୍କ

ନୂଆଦିଲ୍ଲୀ: ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଶିଳ୍ପ ପାର୍କ ରେଟିଂ ସିଷ୍ଟମ୍ ୨.୦ ରିପୋର୍ଟ ପ୍ରକାଶ ପାଇଛି। ଲିଡର୍‌ ବର୍ଗରେ ଦେଶର ୪୧ଟି ଓ ଚ୍ୟାଲେଞ୍ଜର୍ସ‌ ବର୍ଗରେ ୯୦ଟି ଶିଳ୍ପ ପାର୍କ ରହିଛି। ଏହି ଦୁଇ ବର୍ଗରେ ଓଡ଼ିଶାର ଗୋଟିଏ ବି ଶିଳ୍ପ ପାର୍କ ନାହିଁ। ତେବେ ଆସ୍ପାୟାରର୍ସ ବର୍ଗରେ ଥିବା ୧୮୫ଟି ଶିଳ୍ପ ପାର୍କ ମଧ୍ୟରେ ଓଡ଼ିଶାର ୨୪ଟି ପାର୍କ ରହିଛି। ଆସ୍ପାୟାରର୍ସ ବର୍ଗରେ ଥିବା ପାର୍କମାନଙ୍କୁ ଉଚ୍ଚସ୍ତରୀୟ ହସ୍ତକ୍ଷେପର ଆବଶ୍ୟକତା ରହିଥିବା କୁହାଯାଇଥିବା ବେଳେ ସେବାରେ ବୁଦ୍ଧି ପାଇଁ ଆବଶ୍ୟକୀୟ ସୁଧାର ଆଣିବାକୁ ମଧ୍ୟ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଓଡ଼ିଶାରେ ୨୬ଟି ଶିଳ୍ପ ପାର୍କ ଓ ଗୋଟିଏ ଏସ୍‌ଇଜେଡ୍‌ ରହିଛି। ଧାତବ, ଇଲେ‌କ୍ଟ୍ରୋନିକ୍ସ, ହାର୍ଡଓୟାର ଓ ଆଇଟି ବର୍ଗରେ ଏହି ପାର୍କଗୁଡ଼ିକ ରହିଛି। ପୂର୍ବ ଜୋନ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀ ପାର୍କଗୁଡ଼ିକ ମଧ୍ୟରେ ଓଡ଼ିଶାର ୯ଟି ଶିଳ୍ପ ପାର୍କର ନାମ ରହିଛି। ପୂର୍ବ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ଏସ୍‌ଇଜେଡ୍‌ରେ ବେଦାନ୍ତ ଲିମିଟେଡ୍‌ର ନାମ ରହିଛି। ଭିତ୍ତିଭୂମିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପାର୍କ ତାଲିକାରେ ଓଡ଼ିଶାର ୮ଟି ଶିଳ୍ପ ପାର୍କ ରହିଛି। ବ୍ୟବସାୟ ସହାୟତା ସେବାରେ ଭଲ ପ୍ରଦର୍ଶନ କରିଥିବା ଶିଳ୍ପ ପାର୍କ ତାଲିକାରେ ଓଡ଼ିଶାର ଇଏମ୍‌ସି ପାର୍କ ଓ ଭୁବନେଶ୍ବରର ଇନ୍‌ଫୋଭାଲି ପାର୍କ ନାମ ରହିଛି। ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶ ବର୍ଗରେ ରାଜ୍ୟର ୬ଟି ଶିଳ୍ପ ପାର୍କ ନାମ ରହିଛି। ଉଦ୍ୟୋଗ ବିକାଶ ଲାଗି ଓଡିଶାରେ ୨,୨୦୨,୮୩ ହେକ୍ଟର ଜମି ଉପଲବ୍ଧ ଥିବାର ରିପୋର୍ଟରେ କୁହାଯାଇଛି। ଜମି ଉପଲବ୍ଧ ମାମଲାରେ ଓଡିଶା ଦେଶରେ ଦଶମ ସ୍ଥାନରେ ରହିଛି। ବାହ୍ୟ ଭିତ୍ତିଭୂମି, ଆଭ୍ୟନ୍ତରୀଣ ଭିତ୍ତିଭୂମି, ବ୍ୟବସାୟ ସହାୟତା ସେବା ଓ ପରିବେଶ ସୁରକ୍ଷା ମାନଦଣ୍ଡ ଆଧାରରେ ଦେଶରେ ଥିବା ଶିଳ୍ପ ପାର୍କ ଓ ଏସ୍‌ଇଜେଡ୍‌ଗୁଡ଼ିକର ପ୍ରଦର୍ଶନକୁ ଆକଳନ କରାଯାଇଛି। ରିପୋର୍ଟରେ ଦେଶର ୬ଟି ଜୋନ୍‌ରୁ ୪୪୯ଟି ଶିଳ୍ପ ପାର୍କ ଓ ୫୧ ଏସ୍‌ଇଜେଡ୍‌କୁ ଆକଳନ କରାଯାଇଥିଲା।

ସମ୍ବନ୍ଧିତ ଖବର