ଲଣ୍ଡନ ବ୍ରିଟେନରେ ଖାଉଟି ମୁଦ୍ରାସ୍ଫୀତି ୩୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ଫେବ୍ରୁଆରିରେ ଦେଶର ମୁଦ୍ରାସ୍ଫୀତି ୬.୨ ପ୍ରତିଶତ ଥିବାବେଳେ ମାର୍ଚ୍ଚରେ ଏହା ୭ ପ୍ରତିଶତକୁ ବୃଦ୍ଧି ପାଇଛି। ୧୯୯୨ ମାର୍ଚ୍ଚଠାରୁ ଦେଶରେ ଏତେମାତ୍ରାରେ ଦରଦାମ ବୃଦ୍ଧି କେବେ ଦେଖିବାକୁ ମିଳି ନଥିଲା। ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଦ୍ବାରା ‌ବ୍ରିଟେନବାସୀଙ୍କ ଜୀବନଧାରଣ ମୂଲ୍ୟ ପ୍ରଭାବିତ ହୋଇଛି। ଏଥିଯୋଗୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ଅଟୋ ଇନ୍ଧନ, ଖାଦ୍ୟସାମଗ୍ରୀ ଏବଂ ଆସବାବପତ୍ରର ମୂଲ୍ୟବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତିରେ ଏଭଳି ବୃଦ୍ଧି ଘଟିଛି।

Advertisment

ଗତ ପଚାଶ ଦଶକରେ ବ୍ରିଟେନ ସରକାର ରେକର୍ଡ ରଖିବା ଦିନଠାରୁ ପରିବାରଗୁଡ଼ିକର ଜୀବନଯାପନ ଜନିତ ଖର୍ଚ୍ଚରେ ବଡ଼ ଧରଣର ସଂକୋଚନ ଦେଖିବାକୁ ମିଳିଛି। ଉକ୍ତ ତଥ୍ୟ ଆସିବା ପରେ ଅର୍ଥମନ୍ତ୍ରୀ ସୁନକ କହିଛନ୍ତି ଏହା ନିଶ୍ଚିତଭାବେ ଚିନ୍ତାଜନକ। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୨୨୦୦ କୋଟି ପାଉଣ୍ଡ ବା ୨୯୦୦ କୋଟି ଡଲାରର ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ମହାମାରୀ କାରଣରୁ ଯୋଗାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ବ୍ରିଟେନ ସମେତ ବିଶ୍ବର ପ୍ରାୟ ସବୁ ପ୍ରମୁଖ ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ନିକଟରେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିବାରୁ ଇନ୍ଧନ ଓ ଶକ୍ତି ମୂଲ୍ୟ ବୃଦ୍ଧି ପାଇଛି। ୨୦୨୨ର ଶେଷ ‌ତ୍ରୟମାସରେ ‌ବ୍ରିଟେନର ମୁଦ୍ରାସ୍ଫୀତି ୪୦ ବର୍ଷର ସର୍ବୋଚ୍ଚ ସ୍ତର ଅର୍ଥାତ୍ ୮.୭ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।