ବାଧକ ହେଉନି ଦରବୃଦ୍ଧି; ଗ‌ରମରେ ଏସି, ଫ୍ରିଜ୍‌ ବେପାର ଜମୁଛି

ନୂଆଦିଲ୍ଲୀ: ବିଗତବର୍ଷ ତୁଳନାରେ ଚଳିତବର୍ଷ ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ଅପେକ୍ଷାକୃତ ଭାବେ ଅଧିକ ରହୁଛି। ଏଥିଯୋଗୁ ଲୋକମାନେ ପ୍ରବଳ ଗରମ ଅନୁଭବ କରୁଛନ୍ତି। ଫଳରେ ଫ୍ୟାନ, କୁଲର, ଏସି ଏବଂ ଫ୍ରିଜ୍ ଭଳି କୁଲିଂ ଉତ୍ପାଦର ବିକ୍ରି ଅଧିକ ମାତ୍ରାରେ ହେଉଛି। ମାର୍ଚ୍ଚ ମାସରେ ଏସି ଏବଂ କୁଲର ଭଳି ଉତ୍ପାଦର ବିକ୍ରି ଗତବର୍ଷର ମାର୍ଚ୍ଚ ତୁଳନାରେ ୫୦ ପ୍ରତିଶତ ଅଧିକ ରହିଛି। ଚଳିତ ଏପ୍ରିଲ୍‌ ଏବଂ ମେ ମାସରେ ମଧ୍ୟ ଏସବୁ ଉତ୍ପାଦର ବିକ୍ରି ପୂର୍ବବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ଭାରତରେ ସାଧାରଣତଃ ଏପ୍ରିଲ ମାସରେ ଗରମ ବୃଦ୍ଧି ପାଇଥାଏ। ଏଥିଯୋଗୁ ଏସି ଏବଂ କୁଲର ଆଦିର ବିକ୍ରି ବଢ଼ିଥାଏ। କିନ୍ତୁ ଚଳିତବର୍ଷ ଆଗୁଆ ଏସି ଏବଂ କୁଲର ବିକ୍ରି ବୃଦ୍ଧି ପାଇଛି। ହ୍ବାଇଟ୍‌ ଗୁଡ୍‌ସ ସହ ଜଡ଼ିତ କିଛି ଅଧିକାରୀଙ୍କ କହିବାନୁଯାୟୀ, ଏସି, କୁଲର ଏବଂ ରେଫ୍ରିଜରେଟର ବିକ୍ରି କୋଭିଡ ପୂର୍ବସ୍ତରକୁ ଅତିକ୍ରମ କରିଗଲାଣି। ଗତମାସରେ ଏସି ଏବଂ କୁଲର ଭଳି ଉତ୍ପାଦର ବିକ୍ରିରେ ୪୦ରୁ ୫୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଧାତବ ସାମଗ୍ରୀ ଓ ଅନ୍ୟାନ୍ୟ କଞ୍ଚାମାଲ ମୂଲ୍ୟବୃଦ୍ଧି କାରଣରୁ ପୂର୍ବାପେକ୍ଷା ଏସବୁ ସାମଗ୍ରୀ ମହଙ୍ଗା ହୋଇଯାଇଛି। ମହଙ୍ଗା ହେବା ସତ୍ତ୍ବେ ଚାହିଦା ବଢ଼ିଛି ବୋଲି ସେମାନେ କହିଛନ୍ତି। ଗତ ଦୁଇବର୍ଷରେ କରୋନା ମହାମାରୀ କାରଣରୁ ଲକଡାଉନ୍ ଓ ସଟଡାଉନ ଭଳି କଟକଣା ରହିଥିଲା। ଏଥିସହିତ ଗରମ ମଧ୍ୟ କିଛିଟା କମ୍ ଥିଲା। ଫଳରେ ଦୁଇବର୍ଷ ହେଲା ଯେଉଁମାନେ ଏସି ଓ ଫ୍ରିଜ ଆଦି କୁଲିଂ ଉତ୍ପାଦ କିଣି ନଥିଲେ ସେମାନେ ଏବେ ଏହାକୁ କିଣିବା ପାଇଁ ଆଗେଇ ଆସିଛନ୍ତି। ତେଣୁ ବଜାରରେ ହଠାତ୍ ଚାହିଦା ବଢ଼ିଯାଇଛି। ପାନାସୋନିକ ଇଣ୍ଡିଆର ବିଜନେସ୍ ହେଡ୍ ଗୌରବ ଶାହଙ୍କ କହିବାନୁଯାୟୀ, ପେଣ୍ଟ୍ ଅପ୍ ଡିମାଣ୍ଡ କାରଣରୁ ହିଁ ଚଳିତବର୍ଷ ମାର୍ଚ୍ଚରେ ଏୟାର କଣ୍ଡିସନର ବିକ୍ରିରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି। ମୂଲ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୧ ମାର୍ଚ୍ଚ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ବିକ୍ରି ୨୫ ପ୍ରତିଶତ ବଢ଼ିଛି। ଚଳିତବର୍ଷ ସବୁ କ୍ଷେତ୍ରରେ କମ୍ପାନି ଭଲ ବିକ୍ରି ଆଶା ରଖିଛି। ଏସି ବିକ୍ରିରେ ୩୦ ପ୍ରତିଶତ ବୃଦ୍ଧି ଆଶା ରଖାଯାଇଛି ବୋଲି ସେ କହିଛନ୍ତି।

ଇସ୍ପାତ ଓ ତମ୍ବା ଆଦି ଧାତୁର ମୂଲ୍ୟବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି। ହାୟର ଆପ୍ଲାଏନ୍‌ସେସ୍‌ ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି ଏଥିପାଇଁ ଆମକୁ ଫ୍ରିଜ୍‌, ୱାସିଂ ମେସିନ ମୂଲ୍ୟରେ ୫ରୁ ୬ ପ୍ରତିଶତ ବୃଦ୍ଧି କରିବାକୁ ପଡ଼ିଛି। ଏହାସତ୍ତ୍ବେ ଚଳିତବର୍ଷ ବିକ୍ରି ଭଲ ରହିବା ଆଶା ରହିଛି ବୋଲି ସେ କହିଛନ୍ତି। ମାର୍ଚ୍ଚ ମାସରୁ ଚାହିଦା ବଢ଼ିଥିବା ଦେଖିବାକୁ ମିଳିଛି। ଲୋକମାନେ କୁଲିଂ ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ହାୟରର ଏୟାର କଣ୍ଡିସନର ବିକ୍ରିରେ ୪୦ରୁ ୫୦ ପ୍ରତିଶତ ବୃଦ୍ଧି ଆଶା ରଖାଯାଇଛି ବୋଲି ସେ କହିଛନ୍ତି। କୁଲିଂ ଉତ୍ପାଦ ବିକ୍ରି ଯୋଗୁ ଏ କ୍ଷେତ୍ରର କମ୍ପାନିର ସେୟାର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ଗତମାସକ ମଧ୍ୟରେ ଭୋଲଟାସ, ସାର୍ପ ଇଣ୍ଡିଆ ଭଳି କମ୍ପାନିର ସେୟାର ମୂଲ୍ୟରେ ୫ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର