ଭୁବନେଶ୍ବର: ଇନ୍‌ଫୋସିଟି-୨ ଏସ୍‌ଇଜେଡ୍‌ ଆଶାନୁରୂପ ପ୍ରଦର୍ଶନ ନକରିବାର କାରଣଗୁଡ଼ିକ ବିଷୟରେ ସିଏଜି ଅଡିଟ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସ୍‌ଇଜେଡ୍‌ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ଇଡ୍‌କୋ ତରଫରୁ ଏକ ଆନ୍ତର୍ଜାତିକ କଂପାନିକୁ ୩.୨୪ କୋଟି ଟଙ୍କାରେ କାର୍ଯ୍ୟବରାଦ ୨୦୧୪ ଜୁଲାଇରେ ଦିଆଯାଇଥିଲା। ମାତ୍ର ସେହି କଂପାନି ଦୁଇ ବର୍ଷ ବିଳମ୍ବରେ ୨୦୧୬ରେ ମାଷ୍ଟର ପ୍ଲାନ୍ ଦାଖଲ କରିଥିଲା। ସେହି ପ୍ଲାନ୍ ଭୁବନେଶ୍ବର ସହରର ବିସ୍ତୃତ ବିକାଶ ଅନୁଯାୟୀ ପ୍ରସ୍ତୁତ ହୋଇନଥିଲା। ସେଥିପାଇଁ ତାହା ଗ୍ରହଣୀୟ ହୋଇନଥିଲା। ମାଷ୍ଟରପ୍ଲାନ୍‌ରେ ଇ-ବର୍ଜ୍ୟବସ୍ତୁ ପରିଚାଳନା କଥା ଉଲ୍ଲେଖ ନଥିଲା। ଯଦିଓ ୨୦୧୧ ସୁଦ୍ଧା ଏସ୍‌ଇଜେଡ୍ ସ୍ଥାପନ ପାଇଁ ୨୬୨.୫୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା, କିନ୍ତୁ ବାହ୍ୟ ରାସ୍ତା ସଂଯୋଗ ନିମନ୍ତେ ଦରକାର ୨୭.୨୮୨ ଏକର ବେସରକାରୀ ଜମି ୨୦୧୫ରେ ଅଧିଗ୍ରହଣ ହୋଇଥିଲା।

Advertisment

ଏସ୍‌ଇଜେଡ୍ ନିୟମ ପ୍ରଣୟନ କରିବା‌ରେ ବିଳମ୍ବ ହୋଇଥିଲା। ୨୦୦୬ରେ ଭାରତ ସରକାର ଆଣିଥିବା ଏସ୍‌ଇଜେଡ୍‌ ନୀତିକୁ ରାଜ୍ୟ ସରକାର ୨୦୧୫ରେ ପ୍ରଣୟନ କରିଥିଲେ। ସେଥିପାଇଁ ନିବେଶକମାନଙ୍କୁ ଠିକ୍ ଭାବେ ଆକର୍ଷିତ କରାଯାଇପାରିନଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ଏସ୍‌ଇଜେଡ୍‌ର ମୋଟ୍‌ ୨୬୨.୫୭ ଏକର ଜମି ମଧ୍ୟରୁ ମାତ୍ର ଗୋଟିଏ ସଂସ୍ଥାକୁ ୫୦.୯୨ ଏକର ଜମି ଦିଆଯାଇଛି। ୨୦୧୯ ସୁଦ୍ଧା ରପ୍ତାନି କାରବାର ଲକ୍ଷ୍ୟ ୬୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୫୦୮.୧୮ କୋଟି ଟଙ୍କାର ରପ୍ତାନି ସମ୍ଭବ ହୋଇଛି। ଏହି ଏସ୍‌ଇଜେଡ୍‌ରେ ୨୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଥିଲା। ମାତ୍ର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫୨୦ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି।