କମ୍ପାନି ଭିତରେ ପରୀକ୍ଷା: ଉତ୍ତୀର୍ଣ୍ଣ ହୋଇଥିବା କର୍ମଚାରୀଙ୍କୁ ଛାଡ଼ି ବାକି ସମସ୍ତଙ୍କର ହେଲା ଛଟେଇ

ନୂଆଦିଲ୍ଳୀ: ଅଗ୍ରଣୀ ଆଇଟି କମ୍ପାନି ଇନ୍‌ଫୋସିସ୍‌ ଇଣ୍ଟର୍‌ନାଲ୍‌ ଫ୍ରେସର୍‌ ଆସେସ୍‌ମେଣ୍ଟ୍‌ ପରୀକ୍ଷାରେ ପାସ୍‌ ନକରି ପାରିବାରୁ ଶହ ଶହ ନୂଆ କର୍ମଚାରୀଙ୍କର ଛଟେଇ କରିଛି। ଆର୍ଥିକ ମାନ୍ଦାବସ୍ଥା ହେତୁ ବିଭିନ୍ନ କମ୍ପାନି ଏବେ ଛଟେଇ ନୀତି ଅବଲମ୍ବନ କରୁଥିବା ବେଳେ ଇନ୍‌ଫୋସିସ୍‌ ବି ଏଥିରୁ ବାଦ୍‌ ପଡ଼ିନାହିଁ।

ବିଜିନେସ୍‌ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, କମ୍ପାନି ତା’ର ନୂଆ କର୍ମଚାରୀମାନଙ୍କ ସକାଶେ ଏକ ଆସେସ୍‌ମେଣ୍ଟ୍‌ ପରୀକ୍ଷା କରିଥିଲା। ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନଥିବା ଶହ ଶହ କର୍ମଚାରୀ ସେମାନଙ୍କ ଚାକିରି ହରାଇଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ ଇନ୍‌ଫୋସିସ୍‌ରେ ଚାକିରି ପାଇଥିବା ଜଣେ ଯୁବକ ବିଜିନେସ୍‌ ଟୁଡେକୁ ନିଜର ବୟାନ ଦେଇ କହିଛନ୍ତି, ‘ମୁଁ ଗତବର୍ଷ ଅଗଷ୍ଟ ମାସରେ ଇନ୍‌ଫୋସିସ୍‌ରେ କାମ କରିବା ଆରମ୍ଭ କରିଥିଲି। ମୋତେ ଏସ୍‌ଏପି ଏବିଏପି ଷ୍ଟ୍ରିମ୍‌ ପାଇଁ ପ୍ରଶୀକ୍ଷଣ ଦିଆ ଯାଇଥିଲା। ମୋ ଟିମ୍‌ର ୧୫୦ ଜଣରୁ କେବଳ ୬୦ ଜଣ ଫ୍ରେସର୍‌ ଆସେସ୍‌ମେଣ୍ଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାକି ଆମ ସମସ୍ତଙ୍କୁ ଦୁଇ ସପ୍ତାହ ପୂର୍ବେ ଚାକିରିରୁ କାଢ଼ି ଦିଆଯାଇଛି।’

ଉଲ୍ଲେଖଯୋଗ୍ୟ, ଗତବର୍ଷ ଦିନ ବେଳା ଗୋଟିଏ ସଂସ୍ଥା ପାଇଁ ସ୍ଥାୟୀ ଚାକିରି କରିବା ପରେ ରାତିରେ କିମ୍ବା ଅଫିସ ସମୟ ବାହାରେ ଅନ୍ୟ ଏକ ସଂସ୍ଥା ଲାଗି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ଭାରତୀୟ ଆଇଟି କଂପାନିଗୁଡ଼ିକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଦେଶର ପ୍ରଥମ ଆଇଟି କଂପାନି ଭାବେ ବେଙ୍ଗାଲୁରୁର ସଂସ୍ଥା ୱିପ୍ରୋ ପକ୍ଷରୁ ମୁନଲାଇଟିଂ ଅଭିଯୋଗରେ ୩୦୦ କର୍ମଚାରୀଙ୍କୁ ବିଦା କରାଯାଇଥିଲା। ତାପେର ଇନ୍‌ଫୋସିସ୍‌ ମଧ୍ୟ ଏହି ପଥ ଆପଣେଇଥିଲା। ଗତ ଅକ୍ଟୋବରରେ କମ୍ପାନି ଅନେକ କର୍ମଚାରୀଙ୍କୁ ବିଦା କରିଥିଲା।

 

ସମ୍ବନ୍ଧିତ ଖବର