ନୂଆଦିଲ୍ଲୀ: ଅନୁଚିତ ଉପାୟରେ ଛଟେଇ କରାଯାଇଥିବା ଦାବି କରି ଇନ୍‌ଫୋସିସ୍‌ରୁ ଛଟେଇ ହୋଇଥିବା ଶତାଧିକ ଫ୍ରେସର୍‌ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ହସ୍ତକ୍ଷେପ ଲୋଡ଼ିଛନ୍ତି। ମାମଲା ଉପରେ ନଜର ପକାଇବା ଓ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଏଡ଼ାଇବା ଲାଗି ପଦ‌କ୍ଷେପ ନେବାକୁ ସେମାନେ ପିଏମ୍‌ଓକୁ ଅନୁରୋଧ କରିଛନ୍ତି। ଛଟେଇ ହୋଇଥିବା ୧୧୭ ଜଣ ଛାତ୍ରଛାତ୍ରୀ ପିଏମ୍‌ଓକୁ ଏହି ଚିଠି ଲେଖିଥିବା ବେଳେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଜରିଆରେ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଇନ୍‌ଫୋସିସ୍‌ରେ ହୋଇଥିବା ଗଣ ଛଟେଇ ମାମଲାର ତଦନ୍ତ କରିବା ଲାଗି କର୍ଣ୍ଣାଟକ ଶ୍ରମ ମନ୍ତ୍ରଣାଳୟକୁ କେନ୍ଦ୍ର ସରକାର କହିଛନ୍ତି। ନିୟମ ଅନୁସାରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା କର୍ଣ୍ଣାଟକ ସରକାରଙ୍କ ପାଖରେ ରହିଛି। କିଛି ଦିନ ପୂର୍ବେ ଇନ୍‌ଫୋସିସ୍‌ ହଠାତ୍‌ ଏହାର ୭୦୦ ପାଖାପାଖି ଫ୍ରେସର୍‌ଙ୍କୁ ଛଟେଇ କରିଥିଲା। ସମସ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। 

Advertisment

ସେମାନେ ଚାକିରିରେ ଯୋଗଦେବା ଲାଗି ପହଞ୍ଚିବା ପରେ ଏକ କଠିନ ପରୀକ୍ଷା ଦେବାକୁ କୁହାଯାଇଥିଲା। ଯେଉଁମାନେ ବିଫଳ ହେଲେ ସେମାନଙ୍କୁ କମ୍ପାନି ବିଦା କରିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଅଢ଼େଇ ବର୍ଷ ପୂର୍ବେ ସେମାନଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଦୀର୍ଘଦିନ ଅପେକ୍ଷା କରାଇବା ପରେ ଗତବର୍ଷ ଅକ୍ଟୋବରରେ ସେମାନଙ୍କୁ କମ୍ପାନିରେ ଯୋଗଦେବାକୁ କୁହାଯାଇଥିଲା। ଗୁଣାତ୍ମକ ତଥା ପ୍ରତିଭାବାନ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଦୀର୍ଘଦିନରୁ ଏହି ପରୀକ୍ଷା ଆୟୋଜନ କରାଯାଉଥିବା କମ୍ପାନି କହିଛି। କିନ୍ତୁ ଛଟେଇ ହୋଇଥିବା ଫ୍ରେସରମାନେ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ସେମାନଙ୍କୁ କଠିନ ପରୀକ୍ଷାରେ ଅବତୀର୍ଣ୍ଣ କରାଯାଇଥିଲା।