ତୈଳ ଦର ହ୍ରାସ ଲାଗି ଅଭିନବ ପଦକ୍ଷେପ: ଗଚ୍ଛିତ ତେଲ ବାହାର କରିବେ ଭାରତ, ଆମେରିକା, ଚୀନ୍

ନୂଆଦିଲ୍ଲୀ: ‌ତୈଳ ଦର ହ୍ରାସ କରିବା ଲାଗି କିଛି ଦେଶ ମିଳିତ ଭାବେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ, ଆମେରିକା, ଜାପାନ, ଚୀନ୍, ବ୍ରିଟେନ୍ ଓ କୋରିଆ ଭଳି ଦେଶ ତୈଳ ଜାରି କରିବେ। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଦେଶଗୁଡ଼ିକ ସହ ଆଲୋଚନା କରିବା ପରେ ‌ଭଣ୍ଡାରରେ ଗଚ୍ଛିତ ଥିବା ତୈଳ ଜାରି କରାଯିବ। ଭାରତରେ ଥିବା ତୈଳ ଭଣ୍ଡାରରେ ଏବେ ୨୬.୫ ନିୟୁତ ବ୍ୟାରେଲ୍ ତୈଳ ରହିଛି। ସେଥିରୁ ୫ ନିୟୁତ ବ୍ୟାରେଲ୍ ତୈଳ ଜାରି କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କରିବା ଲାଗି ନିଜ ଭଣ୍ଡାରରେ ଗଚ୍ଛିତ ଥିବା ତେଲ ଜାରି କରିବାକୁ ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ନିବେଦନ କରାଯାଇଥିଲା। ଆମେରିକା ୫୦ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଜାରି କରିବ।

ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଚାହିଦା ଓ ଯୋଗାଣରେ ବଡ଼ ଧରଣର ଅନ୍ତର ରହିଛି। ସେହି ଅନ୍ତର ଦୂର କରିବା ଲାଗି ଅଧିକ ତେଲ ଉତ୍ପାଦନ କରିବାକୁ ଓପେକ୍ ରାଷ୍ଟ୍ରଗୁଡ଼ିକୁ ଆମେରିକାର ବାଇଡେନ୍ ସରକାର ଅନୁରୋଧ କରିଥିଲେ। କିନ୍ତୁ ଓପେକ୍ ରାଷ୍ଟ୍ରଗୁଡ଼ିକ ସେଥିରେ ରାଜି ହୋଇନଥିଲେ। ବଜାରରେ ତୈଳର ଅଭାବ ନାହିଁ ବୋଲି ସେମାନେ କହିଥିଲେ। ଓପେକ୍ ରାଷ୍ଟ୍ରର ସଦସ୍ୟମାନଙ୍କୁ ମନାଇବାରେ ବିଫଳ ହେବା ପରେ ନିଜ ଭଣ୍ଡାରରେ ଗଚ୍ଛିତ ଥିବା ତେଲ ବଜାରରେ ଜାରି କରିବାକୁ ଚୀନ୍, ଭାରତ, ବ୍ରିଟେନ୍, ଦକ୍ଷିଣ କୋରିଆ ଓ ଜାପାନକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଅନୁରୋଧ କରିଥିଲେ। ଯଦିଓ ନିଜ ଭଣ୍ଡାରରୁ ତେଲ ଜାରି କରିବାକୁ ଏହି ଦେଶଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ କେବେ ସେହି ପଦକ୍ଷେପ ଗ୍ରହଣ କରାଯିବ ତାହାର କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ଦକ୍ଷିଣ କୋରିଆ ତେଲ ଜାରି କରିବାକୁ ରାଜି ହୋଇଥିଲେ ମଧ୍ୟ କେତେ ତେଲ ଛାଡ଼ିବ ତାହା ଜଣାଇ ନାହିଁ। ବୁଧବାର ଦିନ ଜାପାନ ଏହାର ଯୋଜନା ଘୋଷଣା କରିବ। ବ୍ରିଟେନ୍ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ସମ୍ବନ୍ଧିତ ଖବର