ମୁମ୍ବାଇ: ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଆଇଏନ୍ଏସ୍ ଟାୱାରକୁ ଆଜି ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ଏହି ନୂଆ କାର୍ଯ୍ୟାଳୟ ଆଇଏନ୍ଏସ୍ ସଦସ୍ୟମାନଙ୍କର ଆବଶ୍ୟକତାକୁ ଉତ୍ତମଭାବେ ପୂରଣ କରିବ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୫ ବର୍ଷରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିରେ ଖବରକାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଇଏନ୍ଏସ୍ ସ୍ବାଧୀନତା ପୂର୍ବରୁ ଗଠନ ହୋଇଛି। ଏହି ସଂସ୍ଥା କେବଳ ଦେଶର ଉତ୍ଥାନ ଓ ପତନକୁ ଦେଖିନାହିଁ।
ଏହି ଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛି। ଦେଶର ପରିବର୍ତ୍ତନରେ ଗଣମାଧ୍ୟମ ନିରବ ଦର୍ଶକ ରହିନଥାଏ। ସେହିଦୃଷ୍ଟିରୁ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ସେଥିରେ ଖବରକାଗଜ ଓ ପତ୍ରିକାଗୁଡ଼ିକର ପ୍ରମୁଖ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗଣମାଧ୍ୟମ ଯେତେ ମଜଭୁତ ସହିତ କାର୍ଯ୍ୟ କରିବ ଦେଶ ସେତେ ଆଗକୁ ବଢ଼ିବ। ଖବରକାଗଜ ସଂସ୍ଥାଗୁଡ଼ିକ ସେମାନଙ୍କ ଡିଜିଟାଲ ସଂସ୍କରଣ ଉପରେ ଗୁରୁତ୍ବ ଦିଅନ୍ତୁ। କାରଣ ଛାପା ସଂସ୍କରଣ ଭଳି ଏହାର କୌଣସି ସୀମା ନଥାଏ ବୋଲି ମୋଦୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ରମେଶ ବୈଶ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଅଜିତ ପାୱାର ଏବଂ ଆଇଏନ୍ଏସ୍ର ସଭାପତି ରାକେଶ ଶର୍ମା ପ୍ରମୁଖ ଯୋଗଦେଇଥିଲେ।