ନୂଆଦିଲ୍ଲୀ: ବିଶ୍ବର ଦୁଇ ବିଶାଳ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ଏବେ ଆମେରିକୀୟ ଧନୀ ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଅଧୀନରେ ପରିଚାଳିତ ହେଉଛି। ଏହି ଦୁଇ କମ୍ପାନିକୁ ସେ ବିକ୍ରି କରିବାକୁ ବାଧ୍ୟ ହୋଇପାରନ୍ତି। ୨୦୨୦ରେ ତାଙ୍କ କମ୍ପାନି ଫେସବୁକ୍ ନାଁରେ ପ୍ରତିଯୋଗିତାକୁ ପ୍ରଶୟ ଦେଉନଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ତାହା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପାଳି ସମୟ। ସେହି ମାମଲାର ଶୁଣାଣି ଏବେ ଆରମ୍ଭ ହେବାକୁ ଯାଉଛି। ଯଦି ରାୟ ଜକରବର୍ଗଙ୍କ ବିପକ୍ଷରେ ଯିବ, ତେବେ ତାଙ୍କୁ ଉଭୟ ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍କୁ ବିକ୍ରି କରିବା ଲାଗି କୁହାଯାଇପାରେ।
ମେଟା ବିରୋଧରେ ଅଭିଯୋଗ ରହିଛି ଯେ ପ୍ରତିଯୋଗିତାକୁ ଶେଷ କରିବା ଓ ନିଜର ଏକଚାଟିଆ ଆଧିପତ୍ୟ ବଜାୟ ରଖିବା ଲାଗି କମ୍ପାନି ୨୦୧୨ରେ ୧୦୦ କୋଟି ଡଲାରରେ ଇନଷ୍ଟାଗ୍ରାମ୍ ଓ ୨୦୧୪ରେ ୨୨୦୦ କୋଟି ଡଲାରରେ ହ୍ବାଟସ୍ଆପ୍କୁ ଅଧିଗ୍ରହଣ କରିଥିଲା। ଏହି ଦୁଇ ଅଧିଗ୍ରହଣ ପାଇଁ ଆମେରିକାର ଫେଡେରାଲ୍ ଟ୍ରେଡ୍ କମିସନ (ଏଫ୍ଟିସି) ଅନୁମତି ଦେଇଥିଲେ। କିନ୍ତୁ ଏହି ଡିଲ୍ର ପରିଣାମକୁ ଅନୁଶୀଳନ କରିବା ପରେ ଏହା ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ମାମଲାର ଶୁଣାଣି ସମୟରେ ମେଟା ସିଇଓ ଶ୍ରୀ ଜକରବର୍ଗ ଓ କମ୍ପାନିର ପୂର୍ବତନ ଚିଫ୍ ଅପରେଟିଂ ଅଫିସର ସେରିଲ ସ୍ୟାଣ୍ଡବର୍ଗଙ୍କୁ ପଚରାଉଚୁରା ପାଇଁ ହାଜର ହେବାକୁ କୁହାଯାଇପାରେ। ତେବେ ଏହି ଶୁଣାଣି ୬ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି। ଅତୀତରେ ଜକରବର୍ଗ କହିଥିଲେ ଯେ ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବା ବଦଳରେ ପ୍ରତିଦ୍ବନ୍ଦ୍ବୀକୁ କିଣିନେବା ହିଁ ସବୁଠୁ ଭଲ ରଣନୀତି। ଏହି ମନ୍ତବ୍ୟ ତାଙ୍କ ବିପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ର ପ୍ରଭାବ ଏତେ ଅଧିକ ରହିଛି ଯେ ସେହି କ୍ଷେତ୍ରରେ ଛୋଟ କମ୍ପାନିଗୁଡ଼ିକ ପାଇଁ କୌଣସି ସୁଯୋଗ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/15/EWiyLaI4Dh89c4BWdhlF.jpg)