୪୯ ନିୟୁତ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍; ସେଲିବ୍ରିଟିଙ୍କ ବ୍ୟକ୍ତିଗତ ତଥ୍ୟ ବି ରହିଛି

ମୁମ୍ବାଇ: ଫେସବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମ୍‌ର ୪୯ ନିୟୁତ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ‌ହୋଇଛି। ମୁମ୍ବାଇର ଚାଟରବକ୍ସ ନାମକ ଏକ ସଂସ୍ଥା ଏହି ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ଏଥିରେ ଇନଷ୍ଟାଗ୍ରାମକୁ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କ ତଥ୍ୟ ରହିଛି। ପ୍ରାୟ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ତଥ୍ୟ ନିରାପତ୍ତା ପ୍ରାଚୀର ବାହାରେ ଥିଲା। ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବର, ପ୍ରୋଫାଇଲ୍ ଫଟୋ, ବା‌ୟୋଡାଟା, ଇ-ମେଲ୍ ଠିକଣା ଭଳି ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହେଉଛି। ଏଭଳି କିଛି ଘଟଣା ଘଟିଛି ନା ନାହିଁ ତାହା ଜାଣିବାକୁ ଇନଷ୍ଟାଗ୍ରାମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Evening Standard

ଚାଟରବକ୍ସ ନାମକ ସଂସ୍ଥା ପାଖରେ ଯେଉଁ ଫୋନ୍ ନମ୍ବର ଓ ଇ-ମେଲ୍ ଠିକଣା ରହିଛି ତାହା ଇନଷ୍ଟାଗ୍ରାମ୍‌ରୁ ଆସିଛି ନା ନାହିଁ ତାହା ଜାଣିବାକୁ ପ୍ରୟାସ କରାଯାଉଛି। ଇନଷ୍ଟାଗ୍ରାମ ତଥ୍ୟ ଲିକ୍ କରିଥିବା ଅଭିଯୋଗ ଆସିବା ପରେ ଚାଟରବକ୍ସ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇଛି। ଏହାକୁ ତଥ୍ୟ ଲିକ୍ କୁହାଯାଇପାରିବ ନାହିଁ। କିନ୍ତୁ କିଛି ସୀମିତ ସଂଖ୍ୟକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତଥ୍ୟ କିଛି ଘଣ୍ଟା ପାଇଁ ମୁକୁଳା ଥିଲା। ସେଥିରେ କୌଣସି ବ୍ୟକ୍ତିଗତ ସମ୍ବେଦନଶୀଳ ତଥ୍ୟ ନଥିଲା ବୋଲି ଚାଟରବକ୍ସ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର