ଟିକ୍‌ଟକ୍‌ର ବିକଳ୍ପ ଆଣିବ ଇନ୍‌ଷ୍ଟାଗ୍ରାମ୍, ଚାଲିଛି ଗବେଷଣା

ନୂଆଦିଲ୍ଲୀ: ଟିକ୍‌ଟକ୍ ଭଳି କ୍ଷୁଦ୍ର ଭିଡିଓ ଜରିଆରେ ମନୋରଞ୍ଜନ ଓ ସୂଚନା ସେବା ଦେବା ଲାଗି ଫେସବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମ୍ ପକ୍ଷରୁ ଖୁବ୍‌ଶୀଘ୍ର ଏକ ନୂଆ ଆପ୍‌ ଆରମ୍ଭ କରାଯିବ। ବର୍ତ୍ତମାନ ଭାରତରେ ଏହାର ପରୀକ୍ଷଣ ଚାଲିଛି। ଏହାର ନାମ ହେଉଛି ‘ରିଲ୍‌ସ୍‌’। ଟିକ୍‌ଟକ୍ ଓ ୟୁଟ୍ୟୁବ୍ ପାଇଁ କ୍ରିଏଟର ଭାବେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ସହିତ ଯୋଡ଼ି ହୋଇ ରିଲ୍‌ସ୍‌ ପାଇଁ ଭିଡିଓ ତିଆରି କରାଯାଉଛି।

ପୂର୍ବରୁ ବ୍ରାଜିଲ, ଫ୍ରାନ୍ସ ଓ ଜର୍ମାନିରେ ରିଲ୍‌ସ୍‌ର ପରୀକ୍ଷଣ ଚାଲିଥିଲା। ଚତୁର୍ଥ ଦେଶ ଭାବେ ଭାରତରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି। ଲଦାଖ୍‌ର ଗଲ୍‌ୱାନ୍‌ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଭାରତ ପକ୍ଷରୁ ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ କରାଯାଇଛି। ‌ସେଥିରେ ଟିକ୍‌ଟକ୍ ଭଳି ଲୋକପ୍ରିୟ ଆପ୍ ନିଷିଦ୍ଧ ହୋଇଛି। ଯେହେତୁ ଦେଶରେ ୨୦ କୋଟିରୁ ଅଧିକ ଲୋକଙ୍କ ପାଇଁ ଟିକ୍‌ଟକ୍ ମନୋରଞ୍ଜନର ଏକ ମାଧ୍ୟମ ଥିଲା ତେଣୁ ଏହାର ଅଭାବ ଦେଶରେ ଅନୁଭୂତ ହୋଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଇନଷ୍ଟାଗ୍ରାମ୍ ଏହାର କ୍ଷୁଦ୍ର ଭିଡିଓ ବ୍ୟବସ୍ଥାର ପରୀକ୍ଷଣ କରିବା ନିଶ୍ଚିତ ରୂପେ ଗୁରୁତ୍ବ ରଖୁଛି।

ସମ୍ବନ୍ଧିତ ଖବର