ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ: ସୁବର୍ଣ୍ଣରେଖା, ଅସ୍ତରଙ୍ଗ ବନ୍ଦର କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବାଲେଶ୍ବର ସୁବର୍ଣ୍ଣରେଖା ଓ ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ଦର ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଏହି ଦୁଇଟି ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର ନିର୍ମାଣରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାର ପଣ୍ୟ ପରିବହନକୁ ଆଧାର କରି ବାଣିଜ୍ୟିକ ଅଭିବୃଦ୍ଧିକୁ ଗୁରୁତ୍ବ ଦେଇଆସୁଛନ୍ତି। ଉଭୟ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ନିର୍ମାଣ କାର୍ଯ୍ୟରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାଗୁଡ଼ିକରେ ଚୂଡ଼ାନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ସମୀକ୍ଷା ବୈଠକରୁ ଜଣାପଡ଼ିଛି, ସୁବର୍ଣ୍ଣରେଖା ବନ୍ଦର ପାଇଁ ୨୦୦୮ ମସିହା ଜାନୁଆରି ୧୧ ତାରିଖରେ ରାଜ୍ୟ ସରକାର କ୍ରିଏଟିଭ୍‌ ପୋର୍ଟ ଡେଭଲପମେଣ୍ଟ ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ୫ ହଜାର କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଏହି ବନ୍ଦରର ପରିବହନ କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍‌ ରହିବ। ବନ୍ଦର ପାଇଁ ଆବଶ୍ୟକ ୯୬୫.୧୮୦ ଏକର ଜମିରୁ ୬୯୨.୬୮୦ ଏକର ଜମି ବନ୍ଦର ବିକାଶ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଜମି ଜବରଦଖଲକାରୀ ଓ ଭୂଦାନ ଯଜ୍ଞ ସମିତି ଅଧୀନରେ ରହିଛି। ଜବରଦଖଲ ହୋଇଥିବା ଜମିକୁ ମୁକ୍ତ କରିବା ପାଇଁ ବାଲେଶ୍ବର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହାସହିତ ବନ୍ଦର ପାଇଁ ବସ୍ତା-ବାଲିଆପାଳ-ଚଉମୁଖ ସଡ଼କ ପଥ ଚଉଡ଼ା କରିବା ପାଇଁ ଆଉ ୪୪.୮୭ ଏକର ଜମି ଆବଶ୍ୟକ ପଡ଼ୁଛି।

ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ପାଇଁ ୨୦୧୦ ମସିହାରେ ନବଯୁଗ ଇଞ୍ଜିନିୟରିଂ କମ୍ପାନି ସହିତ ଚୁକ୍ତି ସ୍ବାକ୍ଷର ହୋଇଥିଲା। ୭ ହଜାର ୪୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦରରେ ୪ଟିରୁ ୧୪ଟି ବର୍ଥ ରହିବ। ଏହାର ପଣ୍ୟ ଓ ପରିବହନ କ୍ଷମତା ବାର୍ଷିକ ୧୭.୭ରୁ ୭୧.୩ ନିୟୁତ ମେଟ୍ରିକ୍‌ ହେବ। ଫୁଲନଖରାରୁ ସଡ଼କ ପଥ ଓ ଭୁବନେଶ୍ବରରେ ରେଳପଥ ବିସ୍ତାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବନ୍ଦର ପ୍ରତିଷ୍ଠା ପାଇଁ ଆବଶ୍ୟକ ୩୮୯୯.୯୮୭ ଏକର ଜମିରୁ ୨୪୩୫.୮୬୭ ଏକର ଜମି ବେସରକାରୀ। ବେସରକାରୀ ଜମିଗୁଡ଼ିକ ୧୩ଟି ଗ୍ରାମକୁ ଲାଗି ରହିଥିବାରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ୭ଟି ଗ୍ରାମର ଗ୍ରାମବାସୀ ବିଜ୍ଞପ୍ତିକୁ ବିରୋଧ କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଏହି ଜମି ଅଧିଗ୍ରହଣ ଉପରେ ରହିତାଦେଶ ଜାରି କରିଛନ୍ତି। ଏହି ମାମଲାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା, ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମୋଲୋଚନ ରାଉଳ, ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୁରୀର ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଓ ନବଯୁଗ ଇଞ୍ଜିନିୟରିଂ କମ୍ପାନିର ଅଧିକାରୀଗଣ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର