ଭୁବନେଶ୍ବର: ସହରାଞ୍ଚଳ ଓ ବେତନଭୋଗୀଙ୍କ ମଧ୍ୟରେ ବୀମାକୁ ନେଇ ସଚେତନତା ଅଧିକ ଥିବା ବେଳେ ଗ୍ରାମାଞ୍ଚଳରେ କମ୍ ରହିଛି ବୋଲି ଆଭିଭା ଇଣ୍ଡିଆର ଏମ୍‌ଡି ଓ ସିଇଓ ଅସୀତ୍‌ ରଥ କହିଛନ୍ତି। ଗ୍ରାମାଞ୍ଚଳ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ରରେ ବୀମା ସଚେତନତା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ବର୍ଦ୍ଧିତ ହାର ଉପରେ ଆଲୋକପାତ କରି ଶ୍ରୀ ରଥ କହିଛନ୍ତି ଯେ ୨୦୧୧ରେ ରାଜ୍ୟ ଜନସଂଖ୍ୟାର ୯.୫ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ଥିଲା। ୨୦୨୬ ସୁଦ୍ଧା ସେହି ହାର ୧୩.୮ ପ୍ରତିଶତ, ୨୦୩୧ ସୁଦ୍ଧା ୧୫.୮ ପ୍ରତିଶତ ଓ ୨୦୩୬ ସୁଦ୍ଧା ୧୭ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବୟସ୍କ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ଯେହେତୁ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବ, ତେଣୁ ଅବସରକାଳୀନ ଜୀବନ ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ବେଶ୍ ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।

Advertisment

୨୦୩୦ ସୁଦ୍ଧା ବୟସ୍କଙ୍କ ସଂଖ୍ୟା ୫୦% ବଢ଼ିବ
୭୦% ଲୋକଙ୍କ କୌଣସି ଅବସରକାଳୀନ ସଞ୍ଚୟ ଯୋଜନା ନାହିଁ

ରାଜ୍ୟରେ ଅବସରକାଳୀନ ଯୋଜନା ନିମ୍ନ ସ୍ତରରେ ରହିଛି। ୨୦୧୧ ଜନଗଣନା ଅନୁସାରେ ଗ୍ରାମୀଣ ଓଡ଼ିଶାର ମାତ୍ର ୬ ପ୍ରତିଶତ ଲୋକ ଅବସରକାଳୀନ ସଞ୍ଚୟ ଯୋଜନା ଗ୍ରହଣ କରିଛନ୍ତି। ସହରାଞ୍ଚଳରେ ଏହି ହାର ୩୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ରାଜ୍ୟର ମାତ୍ର ୧୨ ପ୍ରତିଶତ ଲୋକ ନିୟମିତ ଭାବେ ଅବସରକାଳୀନ କିମ୍ବା ସଞ୍ଚୟ ସ୍କିମ୍‌ରେ ନିବେଶ କରୁଛନ୍ତି। ୨୦୨୦ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ୭୦ ପ୍ରତିଶତରୁ ଅଧିକ ଲୋକଙ୍କ କୌଣସି ଅବସରକାଳୀନ ସଞ୍ଚୟ ଯୋଜନା ନାହିଁ। ରାଜ୍ୟର ବୟସ୍କ ଲୋକଙ୍କ ସଂଖ୍ୟା ୨୦୩୦ ସୁଦ୍ଧା ୫୦ ପ୍ରତିଶତ ବଢ଼ିବା ଆକଳନ କରାଯାଇଥିବା ବେଳେ ଅବସର ଯୋଜନାକୁ ନେଇ ଏତେ କମ୍ ଲୋକ ପ୍ରସ୍ତୁତ ଥିବା ଚିନ୍ତାର ବିଷୟ ବୋଲି ଶ୍ରୀ ରଥ କହିଛନ୍ତି।