ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ବୀମା ସୁବିଧା ରହିଛି। କିନ୍ତୁ ଏକଥା ବୋଧହୁଏ ଅନେକ ଜାଣି ନଥାନ୍ତି। ଆଇଆରସିଟିସି ଯାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦେଇଥାଏ। ତେବେ ଟିକଟ କାଟିବା ସମୟରେ ଯାତ୍ରୀଙ୍କୁ ଏଥିପାଇଁ ମାତ୍ର ୩୫ ପଇସାର ପ୍ରିମିୟମ ଦେଇ ବୀମା ନେବାକୁ ହୋଇଥାଏ। ଉକ୍ତ ବୀମା ପ୍ରିମିୟମ ଜରିଆରେ ଯାତ୍ରୀଙ୍କୁ ସେମାନଙ୍କ ମୂଲ୍ୟବାଧନ ସାମଗ୍ରୀ କିମ୍ବା ଲଗେଜ ହଜିବା ବାବଦରେ ବି କ୍ଷତିପୂରଣ ମିଳିବା ସୁବିଧା ରହିଛି। ଟ୍ରେନ ଦୁର୍ଘଟଣାରେ ଯଦି ଯାତ୍ରୀଙ୍କର ମୃତ୍ୟୁ ‌ହୁଏ ତାହେଲେ ତାଙ୍କ ଦ୍ବାରା ମନୋନୀତ ବ୍ୟକ୍ତି ବା ନୋମିନିଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥାଏ। ଯଦି ଯାତ୍ରୀଙ୍କର ମୃତ୍ୟୁ ହୁଏ କିମ୍ବା ସବୁଦିନ ପାଇଁ ଯାତ୍ରୀ ଜଣଙ୍କ ଅକର୍ମଣ୍ୟ ହୋଇଯାଆନ୍ତି ତାହେଲେ ତାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିଥାଏ। ଆଂଶିକ ଅକର୍ମଣ୍ୟ ହେଲେ ଯାତ୍ରୀଙ୍କୁ ୭.୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ କ୍ଷେତ୍ରରେ ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିଥାଏ। ଟ୍ରେନ ଦୁର୍ଘଟଣାର ୪ ମାସ ମଧ୍ୟରେ ବୀମା ରାଶି ପାଇଁ ଯାତ୍ରୀଙ୍କୁ ବୀମା କମ୍ପାନିରେ ଦାବି କରିବାକୁ ‌ପଡ଼ିଥାଏ। ତେଣୁ ବୀମା ସୁବିଧା ନେବା ସମୟରେ ଯାତ୍ରୀ ନୋମିନିଙ୍କ ନାମ ଲେଖିବା ଆବଶ୍ୟକ।

Advertisment

ତେଣୁ ଯେତେବେଳେ ଆପଣ ‌ଆଇଆରସିଟିସି ୱେବସାଇଟ୍‌ ଜରିଆରେ ଟ୍ରେନ ଟିକଟ ବୁକ୍ କରୁଛନ୍ତି ସେତବେଳେ ବୀମା ସୁବିଧା ନେବାର ବିକଳ୍ପକୁ ‌କଦାପି ଭୁଲନ୍ତୁ ନାହିଁ। ଏହାକୁ ଚୟନ କରିଲେ ଯାତ୍ରୀଙ୍କୁ ଟିକଟ କାଟିବା ସମୟରେ ୩୫ ପଇସାରେ ବୀମା ସୁବିଧା ମିଳିଯିବ। ଏଥିସହିତ ଗୋଟିଏ ପିଏନଆର୍‌ ନମ୍ବରରେ ଯେତେ‌ଜଣ ଯାତ୍ରୀଙ୍କର ଟିକଟ ବୁକ୍ ହୋଇଛି ସେମାନେ ସମସ୍ତେ ବୀମା ଯୋଜନାର ହିତାଧିକାରୀ ହୋଇଥାନ୍ତି।